ମାଆ
ମାଆ
ଯିଏ ଚିହ୍ନି ପାରେ
ହୃଦୟ ତନ୍ତ୍ରୀକୁ
ପଢିନିଏ ଆଖିଭାଷା
ଦୁଃଖ ଅବା ଲୁହ
ସୁଖ ଅବା ସ୍ନେହ
କ୍ଷୁଧା ହେଉ ଅବା ତୃଷା ।
ଉଦାସୀ ମନକୁ
ଅନୁଭବୀ ପାରେ
ଛୁଇଁ ପାରେ ହୃଦୟ କୁ
ଭିଜାମନ ତଳେ
ଯନ୍ତ୍ରଣାର ବ୍ୟଥା
ପଢିଆସେ ସବୁ ତାକୁ ।
ଭାରି ହୋଇଗଲେ
ମନ କି ହୃଦୟ
ଆଖିରେ ନାଚେ ତା ମୁଁହ
ମିଠା ହସ ତାର
କୋଟି ଦୁଃଖ ହରେ
ଝରାଇ ବାତ୍ସଲ୍ୟ ମୋହ ।
ତା ପଣତ ତଳେ
ଅପୂର୍ଵ ପ୍ରଶାନ୍ତି
ଅବସାଦ ଯାଏ ହରି
ସାରା ଦୁନିଆଟା
ଲାଗେ ସାତପର
କେହି ନୁହେଁ ମାଆ ପରି ।
ଖାଇ ନଥିଲେ ସେ
ଚାହିଁ ବସିଥାଏ
ଅପଲକେ ସାରାଦିନ
ତା ହାତ ପରସା
ଅମୃତ ମଣୋହି
ଝୁରେ ମନ ରାତିଦିନ ।
ତା ଦେହର ବାସ୍ନା
କୁସୁମଠୁ ବଳି
ପାଟିତୃପ୍ତ ହୁଏ ମନ
ଆଉଁସି ଦେଲେ ସେ
ହଜିଯାଏ କ୍ଲାନ୍ତି
ସାଉଟେ ଲକ୍ଷେ ସପନ ।
ଭାରି ଆପଣାର
ତା ଚୁଡ଼ି ଶବଦ
ସଂଗୀତର ମିଠା ସୂର
ତୋଳଇ ରାଗିଣୀ
ନିଶବ୍ଦ ପ୍ରହରେ
ଝୁରି ହୁଏ ମନ ମୋର ।
