ମାଆ
ମାଆ
ଦଶମାସ ଦଶ ଦିନ ଗରଭରେ ଧରି
ଦିଏ ସେ ଆମକୁ ଜନମ
ସ୍ନେହ ମମତାର ଅଭାବ ନ ଥାଏ
ବୁଝିଥାଏ ସବୁ ମରମ ।
ଜନମିବା ଠାରୁ ମରିବାର ଯାଏଁ
ପାଉଥାଏ ସିଏ ଭଲ
ବାନ୍ଧି ରଖିଥାଏ ପ୍ରେମ ବନ୍ଧନରେ
ଦେଇକି ପାରିବ ତା ମୂଲ ।
ସୁଖରେ ଦୁଃଖରେ ସବୁବେଳେ ଥାଏ
ସହିଯାଏ ଯେତେ କଷ୍ଟ
ଦୀପଟିଏ ହୋଇ ନିଜେ ଜଳି ଜଳି
ଚାଲିବା ଶିଖାଏ ବାଟ ।
କାରିଗର ସାଜି ଗଢି ସେ ତୋଳଇ
ଆମକୁ କେତେ ଯତନେ
ଉଣା କରେ ନାହିଁ କେବେ ତା ମମତା
ଭାଳୁଥାଏ ରାତି ଦିନେ ।
ଦେଖେ ନାହିଁ କେବେ କ୍ଷତି ଅବା ଲାଭ
ଛୋଟରୁ ସେ ବଡ଼ କରଇ
ସ୍ନେହ ମମତା ଓ କ୍ଷମାର ସାଗରେ
ନିତି ସେ ଦିଏ ଗାଧୋଇ ।
ଆକାଶ ଠାରୁ ବିଶାଳ ହୃଦୟ ତାର
ସାଗରଠୁ ଗଭୀର ଭାବନା
ମାଆ ପରା ସେଇ ସାକ୍ଷାତ ଈଶ୍ୱରୀ
ନଥାଏ ତାଠି କେବେ ଛଳନା ।।
(ପୁରୁଣା କବିତା ମୋ ଡାଏରିରୁ)