ମାଆ ତୁମେ ମମତାର
ମାଆ ତୁମେ ମମତାର
ମାଆ ତୁମେ ମମତାର ସୀମାହୀନ
ସାଗର ଲହରୀ ଜାରି
ପ୍ରବାହିତ କରିଦିଅ ଦିବ୍ୟ ଭାବ
ଶିଶୁ ଜୀବନେ ସବୁରି ।
ମାଆର ମମତା ଅତୁଲ ଅମୂଲ
ଜଗତେ ତୁଳନା ନାହିଁ
ମାଆ ହିଁ ଯେ ସବୁ କିଛି କରିପାରେ
ସନ୍ତାନର ହିତ ପାଇଁ ।
ଗରଭ ଧାରିଣୀ ସନ୍ତାନ ପାଳିନି
ସ୍ନେହ ବତ୍ସଲା ଜନନୀ
ବାତ୍ସଲ୍ୟ ମମତା କହେ କେତେ କଥା
ଦେଖିଲେ ହୁଅଇ ଜାଣି ।
ନିତି ନିତି ସ୍ନେହ ଆଦର ବାତ୍ସଲ୍ୟ
ଜତନେ ପାଳେ ସେ ଶିଶୁ
ନିଜ ପେଟ କାଟି ପିଲାକୁ ଖୁଆଏ
କଷ୍ଟ ସହେ ତା' ସକାଶୁ ।
ଢୋକେ ପିଇ ଦଣ୍ଡେ ଜୀଇଁ ରହି ସିଏ
ପିଲା ମାନଙ୍କୁ ଖୁଆଏ
ନିତି କଷ୍ଟ ସହି ପରିଶ୍ରମ କରି
ପିଲାଙ୍କୁ ସେ ବଡ କରେ ।
ଇଟା ଭାଟି ଆଉ ନିର୍ମାଣ ଶ୍ରମିକ
ମାଆ ମାନେ କି ସ୍ନେହରେ
ଟିକି ଶିଶୁଙ୍କୁ ସେ ଲୁଗାର ଦୋଳିରେ
ଝୁଲାଇ ରଖି ଆଦରେ ।
ଇଟାର ବୋଝକୁ ନିଅନ୍ତି ମୁଣ୍ଡକୁ
ଓହ୍ଲାଇ କି ଥୋଇବାରେ
ସବୁବେଳେ ଧରି ଶିଶୁଙ୍କୁ ସାଥିରେ
ନିତି ପରିଶ୍ରମ କରେ ।
ଶିଶୁ ପାଇଁ ସିଏ କେତେ କଷ୍ଟ ସହେ
ନହୁଏ କଳନା କରି
ମାଆର ମମତା ଭରେ ସରସତା
ଶିଶୁ ଜୀବନେ ସବୁରି ।