ମାଆ ସରସ୍ୱତୀ ବିଦ୍ୟାଦାୟିନୀ
ମାଆ ସରସ୍ୱତୀ ବିଦ୍ୟାଦାୟିନୀ
ଆସ ଆସ ମର୍ତ୍ତ୍ୟେ ମାଆ ସରସ୍ୱତୀ
ମରାଳ ପୃଷ୍ଠରେ ବସି,
ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ
ବିଦ୍ୟାକୁ ଦିଅ ପରଶି ।
ଅତି ମନୋହର ଦିଶଇ ଧରଣୀ
ସାଜ୍ଜସଜ୍ଜା ମନୋରମ
ଗୋଲକ ଭୁବନୁ ବିରାଜି ମର୍ତ୍ତ୍ୟକୁ
ପୂର୍ଣ୍ଣକର ମନସ୍କାମ ।
ବିଧାତାଙ୍କ ମୁଖୁଁ ହୋଇ ଆବିର୍ଭୂତା
ଗୋଲକଧାମେ ବିହର
ସାହିତ୍ୟ ସଂଗୀତ କଳାର ପୂଜାରୀ
ପ୍ରିୟ ଅଟନ୍ତି ତୁମ୍ଭର ।
ଶୁଷ୍କ ମରୁସମ ଅଜ୍ଞାନୀ ମାନବ
ତୁମ ଦିବ୍ୟ କୃପା ପାଇ
ସାଗର ସମାନ ଜ୍ଞାନ ଭଣ୍ଡାରକୁ
ସହଜେ ଲଭି ପାରଇ ।
ସଂସାରର ଦୁଃଖେ ଦୁଃଖାନ୍ବିତା ହୋଇ
ହେଲ ନଦୀ ସରସ୍ୱତୀ
ବାଡ଼ବାଗ୍ନି ଅଗ୍ନି ନିର୍ବାପିତ କରି
ରଖିଥିଲ ଦିନେ କ୍ଷିତି ।
ଶାରଦା ବରଦା ବାଣୀ ବର୍ଣ୍ଣେଶ୍ୱରୀ
ବିଦ୍ୟାଦାତ୍ରୀ ବେଦମାତା,
ସଂସାରର ଦୁଃଖ ହିଂସା କୁଟିଳତା
କର ବିନାଶ ସର୍ବଥା ।
ଶ୍ରୀବିଷ୍ଣୁ ଘରଣୀ ଜଗତ ରୂପୁଣୀ
ଯୋଗମାୟା ସ୍ୱରୂପିଣୀ
ରସନା ବାସିନୀ ବିଶ୍ୱ ବିମୋହିନୀ
ବୀଣା ପୁସ୍ତକ ଧାରିଣୀ ।
ସତ୍ତ୍ବ ଗୁଣଧାରୀ ଶ୍ଵେତବର୍ଣ୍ଣା ଦେବୀ
ବିଶାଳାକ୍ଷୀ ବାଗ୍ମେଶ୍ବରୀ
ବୁଦ୍ଧି ଧର୍ମ ଅର୍ଥ ସିଦ୍ଧି ଅଇଶ୍ବର୍ଯ୍ୟ
ଭରି ଦିଅ ବସୁନ୍ଧରୀ ।
