ମାଆ ପାଇଁ କେଇପଦ
ମାଆ ପାଇଁ କେଇପଦ
ମାଆ ନୁହେଁ ଖାଲି ଶବଦ ଟିଏ ଲୋ
ଶବଦେ ଭରା ଅମୃତ
ରାଗ ରାଗିଣୀ ର ଅପୂର୍ବ ମୂର୍ଚ୍ଛନା
ସେ ଶବ୍ଦରେ ସମାହିତ ।
ମାଆର ଜୀବନ ସମର୍ପିତ ସଦା
ସ୍ନେହ ମମତାର ଧାରାଟିଏ
ତ୍ୟାଗ ମନ୍ତ୍ର ସଦା ଗୁଞ୍ଜରିତ ହୁଏ
ତାର ଜୀବନ ବେଦୀରେ ।
ତା ଛିଣ୍ଡା ପଣତେ ଅଶେଷ ଭରସା
ସଦା ପୁରି ରହିଥାଏ
ସେ ପଣତ ସଦା ପତିତପାବନ
ଭାବନା ଯେ ଭରୁ ଥାଏ ।
ତା ଭାବ ଭାବନା ପତରେ ପତରେ
ସନ୍ତାନର ସ୍ୱପ୍ନ ଲେଖା
ସେଇ ସପନର ପରିପୂର୍ଣ୍ଣ ପାଇଁ
ଭୁଲିଯାଏ ନିଜ କଥା ।
ମାଆ କୋଳ ଅଟେ ଅପୂର୍ବ ଦୋଳନା
ମନେ ଭରେ ମାଦକତା
ତା ପଣତ ଯେବେ ଧୂଳି ଝାଡିଦିଏ
ମନେ ଭରେ ପବିତ୍ରତା ।
ହସ ଆଢୁଆଳେ ଲୁଚି ରହି ଥାଏ
କେତେ ଯେ ଅକୁହା କଥା
ଦୁଃଖକୁ ଲୁଚାଇ ସୁଖ ବାଣ୍ଟୁଥାଏ
ସେ ଅଟେ ପ୍ରୀତି କବିତା ।
ଜୀବନ ଜଞ୍ଜାଳେ ଭୁଲେନି କର୍ତ୍ତବ୍ୟ
ଜୀବନ ତା ସମର୍ପିତ
ପରିବାର ତାର ଅପୂର୍ବ ମନ୍ଦିର
ଧୈର୍ଯ୍ୟ ତାର ମୁଖ୍ୟ ସ୍ରୋତ ।
ତ୍ୟାଗର ମୂର୍ତ୍ତି ଟେ ଧୈର୍ଯ୍ୟର ଶକ୍ତି ଟେ
ମମତାର ରାଗିଣୀ ଟେ
ପ୍ରେମର ଗୀତିଟେ ପ୍ରୀତିର ସ୍ତୁତି ଟେ
ଅବ୍ୟକ୍ତ ଅନୁଭବ ଟେ ।
ମାଆ ଅଟେ ପରା ସୃଷ୍ଟିର ଧାରାରେ
ଅମୃତ ସୃଜନୀଟିଏ
ଇଶ୍ଵର ସୃଷ୍ଟିର ସର୍ବୋତ୍କୃଷ୍ଟ ସୃଷ୍ଟି
ସୃଷ୍ଟିକୁ ସମୃଦ୍ଧ କରେ ।
ଅସୀମ ତା ତ୍ୟାଗ ସ୍ନେହଭରା ଡାକ
ମନେ ପୁଲକ ଜଗାଏ
ଅମୋଘ ଔଷଧି ତା ପରଶେ ଭରା
ସବୁ ବ୍ୟଥା ହରି ନିଏ ।
ମାଆ ହାତରନ୍ଧା ଶାଗ ପଖାଳ ଯେ
ତୃପ୍ତିର ମହକେ ଭରା
ମାଆର ସେ ଛିଣ୍ଡା ପଣତ ଉହାଡ଼େ
ଶାନ୍ତିର ମହଲ ଗଢ଼ା ।
ମାଆ ରଚି ଦିଏ ମାଟିର ବୈକୁଣ୍ଠ
ଦରଭଙ୍ଗା ଚାଳ ଘରେ
ଜୀବନ ଜଞ୍ଜାଳେ ଝାଇଁ ଖରା ବେଳେ
ଚନ୍ଦନ ପ୍ରଲେପ ଦିଏ ।
ମାଆ ତୁଳନା ମୁଁ କା' ସଙ୍ଗେ କରିବି
ସେ ଅଟେ ଅତୁଳନୀୟ
ବିଭାମୟୀ ସିଏ ଆଭାମୟୀ ସିଏ
ସିଏ ଅଟେ ବନ୍ଦନୀୟ ।
ମାଆ ପରି କେହି ଦୁନିଆରେ ନାହିଁ
ମୂର୍ତ୍ତିମନ୍ତ ଦେବୀ ଟିଏ
ତା ପଦରେ ସଦା କରଇ ନମନ
ଅନୁପମ ରାଗିଣୀ ଟେ ।
