STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ମାଆ ନାରାୟଣୀ

ମାଆ ନାରାୟଣୀ

2 mins
418



ଜୟ ଜୟ ଜୟ ମାଆ ନାରାୟଣୀ

ଖଲିକୋଟ ରାଜ ରାଣୀ

ଚିଲିକା କୂଳରେ ଭାଲେରି ଶିଖରେ

ପୂଜିତା ମା ଠାକୁରାଣୀ।


ସବୁଜିମା ଭରା ଘନ ବନ ରାଜି

ଶୋଭା ନିଏ ମନ ମୋହି

ଝରି ଯାଉଅଛି ପାହାଡି ଝରଣା

ମାଆଙ୍କର ପାଦ ଧୋଇ ।


ମାଆଙ୍କ ମହିମା ଅନନ୍ତ ଅସୀମ

ସାରା ରାଇଜରେ କ୍ଷାତ

ଆଶିଷ ପାଇଁକି କାହିଁ କେତେ ଦୂରୁ

ଆସିଥାନ୍ତି ନିତି ଭକ୍ତ ।


ଦେବୀ ଭାଗବତ ବଖାଣଇ ସେତ

ମାଆଙ୍କ ଉତ୍ପତ୍ତି କଥା

ଦକ୍ଷ ଯଜ୍ଞ ପ୍ରାଣ ବିସର୍ଜିତା ସତୀ

ଶରୀରୁ ଉଦ୍ଭବ ମାତା ।

ଇତିହାସ କହେ ସପ୍ତମ ଶତାବ୍ଦୀ

ମାଆଙ୍କ ପ୍ରତିଷ୍ଠା କାଳ

ଖଲିକୋଟ ରାଜ୍ୟ କୂଳ ଦେବୀ ମାଆ

ପତିତ ଜନ ର ବଳ ।


କେତେ ଲୋକକଥା ଅଛି କିମ୍ବଦନ୍ତୀ

ମାଆ ଙ୍କ ନାମକୁ ନେଇ

ପଦ୍ମନାଭ ଙ୍କର ସହୋଦରୀ ବୋଲି

ନାରାୟଣୀ ନାମ ବହି ।


ପୁଣି କିମ୍ବଦନ୍ତୀ ବଖାଣି ଯେ ଥାନ୍ତି

ନାରାୟଣ ଙ୍କର ପତ୍ନୀ

ନାରାୟଣୀ ଭାବେ ହୋଇଛନ୍ତି କ୍ଷାତ

ଦୁର୍ଗା ସିଏ ଲକ୍ଷ୍ମୀ ପୁଣି ।


ଦୁର୍ଗା ରୂପେ ମାଆ ଶକ୍ତି ପ୍ରଦାୟିନୀ

ଲକ୍ଷ୍ମୀ ରୂପେ ଧନ ଧାନ୍ଯ

କଲ୍ୟାଣ ମୟୀ ସେ କରୁଣା ରେ ତାଙ୍କ

ଜୀବନ ହୁଅଇ ଧନ୍ୟ।


ଷଡଭୂଜା ଦୁର୍ଗା ଭାବେ ନାରାୟଣୀ

ପାହାଡ଼ ଶିଖରେ ରହି

ପତିତ ଜନଙ୍କୁ ତାରନ୍ତି ପାଳନ୍ତି

ବୁହାଇ ଆଶିଷ ନଈ ।


ଶାନ୍ତ କମନୀୟ ପରିବେଶେ ଠିଆ

ମାଆଙ୍କ ଭବ୍ୟ ମନ୍ଦିର

କ୍ଷୁଦ୍ର ହୋଇଲେ ବି କଳେବର ତାର

ଦିଶଇ ଭାରି ସୁନ୍ଦର।


ଭୁବନେଶ୍ଵର ର ବୈତାଳ ମନ୍ଦିର

ପରି କମନୀୟ ରୂପ

ସେ ରୂପ ବଖାଣେ ଓଡ଼ିଆ ଶିଳ୍ପୀଙ୍କ

ଉତ୍କର୍ଷ କଳାର ଗପ ।


ମନ୍ଦିର ରେ ମାଆ ରହିଛନ୍ତି ବସି

ପଶ୍ଚିମ କୁ ମୁହଁ କରି

ଅତି ଶରଧା ରେ ଭକତ ମାନଙ୍କୁ

ବିତରି କରୁଣା ବାରି ।


ମାଆ ନାରାୟଣୀ ସାହା ନାରାୟଣୀ

ଉଛୁଳେ ପାହାଡ଼ ବଣ

ପ୍ରତିଧ୍ୱନୀ ତୋଳେ ପର୍ବତ ଶିଖରେ<

/p>

ମାଆଙ୍କର ଜୟ ଗାନ।


ନାରାୟଣୀ ଙ୍କର ସମ୍ମୁଖରେ ଛନ୍ତି

ନୀଳକଣ୍ଠେଶ୍ଵର ଶିବ

ଶିବାନୀ ଙ୍କ ସହ ଶମ୍ଭୂରିଶ ଙ୍କର

ଅନାବିଳ ସ୍ନେହ ଭାବ ।


ଭାବରେ ଭକତି ସ୍ନେହରେ ଶକତି

ଭକତେ କରନ୍ତି ଧ୍ୟାନ

ଭବ ଭବାନୀ ଙ୍କ ଶରଧା ବାରିରେ

କାମନା ହୁଅଇ ପୂର୍ଣ୍ଣ।


ନାଚିନାଚି ବହେ ପାହାଡି ଝରଣା

ମାଆଙ୍କ ମହିମା ଗାଇ

ସେ ଜଳେ ସ୍ନାହାନ କରନ୍ତି ଭକତେ

ଅବସାଦ ଯାଏ ଧୋଇ ।


ଦଶହରା ଆଉ ଅଶୋକା ଅଷ୍ଟମୀ

ମାଆଙ୍କର ବଡ଼ ପର୍ବ

ଶୋଡ଼ଶପଚାରେ ପୂଜା ଅରଚନା

ହୋଇଥାଏ ଯାଗଯଜ୍ଞ ।


ଦଶରାରେ ହୁଏ ନବରାତ୍ରୀ ପୂଜା

ନଅ ବେଶ ନଅ ଦିନ

ନବ ଦୁର୍ଗା ରୂପେ ବେଶ ହୋଇ ମାଆ

ଦେଇଥାନ୍ତି ଦରଶନ ।


ଚଇତ୍ର ମାସର ମଙ୍ଗଳବାର ରେ

ମାଆଙ୍କ ବିଶେଷ ପୂଜା

ମଙ୍ଗଳ ଆଳତି ମଙ୍ଗଳ ମୂର୍ଚ୍ଛନା

ଉଡଇ ମଙ୍ଗଳ ଧ୍ଵଜା ।


ମାଆଙ୍କ ପୀଠରେ ଅଶୋକା ଅଷ୍ଟମୀ

ମେଳା ହୁଏ ତିନିଦିନ

ଭାଲେରୀ ଶିଖରେ ଭକ୍ତ ଙ୍କ ଗହଳୀ

ଲାଗି ରହେ ରାତି ଦିନ ।


ଆନନ୍ଦ ମୁଖର ମାଆଙ୍କ ପୀଠରେ

ମାଆଙ୍କର ଜୟଗାନ

ଜୟ ନାରାୟଣୀ ଜୟ ନାରାୟଣୀ

କମ୍ପେ ଗଗନ ପବନ।


ବନ ଝରଣା ର ଉଛୁଳା ତରଙ୍ଗ

ଶରଧାର ରଙ୍ଗ ବୋଳେ

ଭାବ ଭକତିରେ ମାଆଙ୍କର ପୂଜା

ଘଣ୍ଟ ଘଣ୍ଟା ତାଳେତାଳେ।


ବରଷଟା ସାରା ବିବାହ ବ୍ରତ ଯେ

ମାଆ ଙ୍କ ପୀଠରେ ହୁଏ

ନବ ଉନ୍ମାଦନା ନବୀନ ଭାବନା

ଭାବରେ ଭିଜେଇ ଦିଏ ।


ମାଆ ଙ୍କ ପୀଠରେ ବଣଭୋଜି ଖୁସି

ଆନନ୍ଦ ର କଥା କହେ

ସବୁଦିନ ପାଇଁ ଭାଲେରୀ ସୁଷମା

ପରାଣ ରେ ଲାଖି ରହେ ।


ମାଆ ନାରାୟଣୀ ସଙ୍କଟ ତାରିଣୀ

କଳୁଷ ହାରିଣୀ ମାଆ

ଅଧମ ଅକ୍ଷମ ସନ୍ତାନ କୁ ମାଆ

ଦୁଃଖେ ସୁଖେ ହେବ ସାହା ।


ମାଆ ନାରାୟଣୀ ମୋକ୍ଷ ଦାୟିନୀ ଗୋ

ଶାନ୍ତି ମୁକ୍ତି ପ୍ରଦାୟିନୀ

କୃପା ନେତ୍ରେ ମାଆ ଚାହିଁ ଥିବ ବାରେ

ପାଦରେ ଏଇ ଦୟିନୀ ।



Rate this content
Log in

Similar oriya poem from Classics