ମାଆ ଲୋ
ମାଆ ଲୋ
ମାଆ ଲୋ ମାଆ
ମମତାର ସ୍ରୋତସ୍ବିନୀ
ସ୍ନେହମୟୀ ମାଆ।
କାହାର ଭଗିନୀ ତୁହି
କାହାର ଜାୟା,
ମୋ ପାଇଁ ତୁ ଚିରସ୍ରୋତା
ଗଙ୍ଗା ପୁଣ୍ୟତୋୟା ।
ମାଆ ଲୋ ମାଆ
କାହାର ଦୁହିତା ତୁହି
ଦୁଇକୂଳ ହିତା
ମୋପାଇଁ ତୁ ସର୍ବଂସହା
ସ୍ନେହମୟୀ ମାତା ।
ମାଆ ଲୋ ମାଆ...
ଦେଇଛୁ ଜୀବନ ମୋତେ
ଶିଖାଇଛୁ କଥା
ତୋ ସ୍ତନରୁ କ୍ଷୀର ପିଇ
ଟେକିଛି ମୁଁ ମଥା ।
ମାଆ ଲୋ ମାଆ....
ହାତ ଧରି ଚାଲିବାକୁ
ଶିଖାଇଛୁ ମୋତେ
ଦେଖାଇଛୁ ପଥ ତୁହି
ହାତ ଠାରି ମୋତେ ।
ମାଆଲୋ ମାଆ.....
ଅବାଟରେ ଗଲେ ମୁହିଁ
ମୋଡିଛୁ ମୋ କାନ
ମୋ ଆଖିରେ ଭରିଛୁ ତୁ
ଆଖିଏ ସପନ ।
ମାଆ ଲୋ ମାଆ..
ମୋ ଜୀବନ ବିନ୍ଧାଣୀ ତୁ
ଦୀପର ସଳିତା
ନିଜେ ଜଳି ଦେଖାଇଛୁ
ପଥ ମୋତେ ମାତା ।
ମାଆ ଲୋ ମାଆ...
ବିପଦେ ଆପଦେ ତୁ ଲୋ
ସଦା ପାଶେ ଥାଉ
ତୋ ପଣତ କାନିରେ ମୋ
ଲୁହ ପୋଛି ଦେଉ ।
ମାଆ ଲୋ ମାଆ....
ବରଗଛ ଛାଇପରି
ତୋ ହାତର ଛାଇ
ଯାହା ତଳେ ସବୁ କଷ୍ଟ
ପାରେ ମୁଁ ସହି ।
ମାଆଲୋ ମାଆ...
ଜୀବନ ସିନ୍ଧୁରେ ଆସୁ
ଯେତେ ବି ଜୁଆର
ତୋ ଆଶିଷ ବଳେ
ସହେ ସକଳ ପ୍ରହାର ।
ମାଆ ଲୋ ମାଆ
ସରଗଠୁ ଗରୀୟଷୀ
କାଚଠୁ ବି ସଫା
ହିମାଳୟ ଠାରୁ ଉଚ୍ଚ
ତୁହି ମୋର ମାଆ ।
ମାଆ ଲୋ ମାଆ...
ମହମ ପରି କୋମଳ
ସାଗରୁ ଗଭୀର
ବିଶ୍ବ ବ୍ରହ୍ମାଣ୍ଡୁ ବିଶାଳ
ହୃଦୟ ତୋହର ।
ମାଆ ଲୋ ମାଆ...
ସକଳ ରାଜ୍ୟ ରାଜେଶ୍ବରୀ
ତୁ ପରମ ପୂଜ୍ଯା
ସବୁଠାରୁ ସୁନ୍ଦର ତୁ
ମାଆ ସର୍ବଂସହା
ମାଆଲୋ ମାଆ...।
