ମାଆ ଦେଖାଉନି ଜହ୍ନମାମୁଁ
ମାଆ ଦେଖାଉନି ଜହ୍ନମାମୁଁ
ଦାଣ୍ଡ ପିଣ୍ଢାରେ ଗଡୁ ଥିଲି ମୁଁ
ଭାରି ଅଝଟ କଲି,
ସଭିଏଁ କଲେ କେତେ ଯେ ଗାଳି
ବଡ଼ ଜୋରରେ କାନ୍ଦିଲି,
ଧାଇଁ ଆସିଲା ମାଆ
କହିଲା ଧନ ନାହିଁରେ ନାହିଁ
କାନ୍ଦେ ନାହିଁ ବୋଲି ।
ଝାଡିଲା ଧୂଳି କାନିରେ ତା'ର
ପୋଛିଲା ଲୁହ ମୋର,
କରିଲା ଗେଲ କେତେ ସରାଗେ
ସମ୍ପଦ ତୁହି ମୋର ,
ସଞ୍ଜ ବେଳରେ ଧନ
କାନ୍ଦିବୁ ନାହିଁ କୋଳରେ ଥାଇ
ଜହ୍ନମାମୁଁ ଦେଖ ଏଥର ।
ହସୁଛି ଜହ୍ନ ହସନ୍ତି ତାରା
ଅନନ୍ତ ଆକାଶରେ,
ମୋ ଧନ ଆଜି ହସୁଛି ପୁଣି
ଥାଇ ତ ମୋ କୋଳରେ ,
ଭାବୁଛି ବସି ଏବେ
ଏବେର ପିଲା ହେଉନି କୋଳ
ଗାଉନି ଜହ୍ନମାମୁଁରେ ।
ହେଲେ ଅଝଟ ଦେଖୁଛି ବସି
ମୋବାଇଲ ମାଆର,
ସିରିଏଲ ଦେଖେ ଅତି ଖୁସିରେ
ବସି ମାଆ ତାହାର,
ନାହିଁ ଚିନ୍ତା କାହାର
ଜହ୍ନମାମୁଁ ବି ବିରସ ମନେ
ବସିଛି ଆକାଶର ।
କାଖ ହେବାର ଦେଖୁନି କେହି
ମାଆର ମଧୁର ଗୀତ
ଶୁଣୁନି ଆଉ ମାଆ କଣ୍ଠରୁ
ଧୋରେ ବାଇଆ ଡାକ,
ଜପୁନି ହରେକୃଷ୍ଣ
ସଞ୍ଜ ବେଳରେ ଠାକୁର ଘରେ
ଶୁଣୁନି ଭାଗବତ ।
ହଜି ଯାଇଛି ଆମ ସଂସ୍କୃତି
ଫଳା ଓ ପଣିକିଆ
ଆଜିର ପିଲା ଶୁଣି ହସୁଛି
ଏ ପାଠ କେମିତିକା
କାଲକୁଲେଟର ଖୋଜଇ
ମିଶାଣ ଫେଡାଣ ହରଣ ଗୁଣନ
ମେସିନ ସବୁ କରୁଛି ।
ଆ ଜହ୍ନମାମୁ ଶରଗ ଶଶୀ
କାହ୍ନୁ ହାତେ ପଡ ଖସି,
ସେ ଗୀତ ଛାଡି ପାଶ୍ଚାତ୍ୟ ମୋହେ
ସଭିଏଁ ଭାରି ଖୁସି,
ହୋଟେଲ କ୍ଲବ ଯାଉଛି ମାଆ
ଧାଇ ପାଖରେ ଗାଳି ମାଡ଼ରେ
ଶୈଶବ ଯାଏ ଫସି ।
କିଏବା ଆଉ କରିବ କାଖ
ଶିଖିନି ଏବେର ମାଆ,
କଥା କଥାକେ ଧମକ ଦିଏ
ଖାଆ ନ ଖାଇଲେ ଯାଆ,
ନାହିଁ ସ୍ନେହ ମମତା
ଜହ୍ନ ଦେଖାଇବା କୋଳେ ଝୁଲାଇବା
କେଉଁଠୁ ପାଇବୁ ପାଆ ।
