ମାଆ ଆଶୀର୍ବାଦ
ମାଆ ଆଶୀର୍ବାଦ
ମା’ ମା’ ଡାକ ଛଡାଇ ନେଇ ଯେ
ଦୂରକୁ ଯାଇଛ ମା’
ରହିଗଲା ତୁମ ସ୍ନେହ ଶ୍ରଦ୍ଧା ଗାଳି
କଟକଣା ତରଜମା ।
ସାଂଗ ସାଥି ମାନେ କଥାରେ କହନ୍ତି
ମୁଁ ଯେ ହୋଇଲି ଅନାଥ,
ବାପା ମାଆ ଯେବେ ଆରପାରି ଗଲେ
ନାହିଁ ତୋ ଉପରେ ଛାତ
ଭାଂଗି ଗଲା ଯେତେ ସପନ ମୋହର
ସବୁ ଗରବ ଗାରିମା ।
ପିଲାବୋଲି ଭାବୁଥିଲି ନିଜକୁ ମୁଁ
ବାପା ବଂଚିଥିବା ଯାଏ
ସେଇ ଭାବନାକୁ ପାଶୋରି ଦେଲିମୁଁ
ଚାଲିଗଲା ପରେ ସିଏ
ତାଂକ ସଂସ୍କାରରେ ବଡ ମୁଁ ହୋଇଲି
ଲଂଘି ନାହିଁ ପରିସୀମା ।
ରଖିଥିବୁ ମା’ ତୋର ଆଶିର୍ବାଦ
ରହିଥାଇ ସରଗରେ,
ବାପାମାଆ ଋଣ ସାତ ଜନମରେ
ସନ୍ତାନ କି ସୁଝି ପାରେ
ଯେତେ ଦୋଷ ତୃଟି କରିଥିଲେ ମା’ ଗୋ
କରିଦିଅ ମୋତେ କ୍ଷମା ।
ସଂସାରେ ସଭିଏଁ ଆହା କଲେ ସତ
ଆପଣା ପୋଛିଲେ ଲୁହ
ତୁମେ ଆର ପାରି ଚାଲିଗଲା ପରେ
ଚାପି ହେଉନାହିଁ କୋହ
ପୂଜୁଥିବି ନିତି ଚରଣ ଯୁଗଳ
ରହିଥିବା ଯାଏ ଆତ୍ମା ।