ମା
ମା
ଦଶ ମାସ ତୁହି ଗର୍ଭ ରେ ଧରିଣ
ଦେଲୁ ଆଲୋକର ସତ୍ତା
ପାଳନ କରିଣ ଦୁନିଆ ବୁକୁରେ
ସାଜିଲୁ ପାଳନ କର୍ତ୍ତା l
ହାତ ଧରି ମା ଚାଲି ଶିଖେଇଲୁ
ଅଳି ଅଝଟ ତୁ ସହିଲୁ
ନିଜ ଖୁସି ତୁହି ନିଜେ ବଳି ଦେଇ
ଆମକୁ ହସାଉ ଥିଲୁ l
ମମତାମୟୀ ତୁ ସ୍ନେହ ପ୍ରଦାୟିନୀ
ତୁଳନା ତ ତୋର ନାହିଁ
ସନ୍ତାନ ଆଖିରେ ଦୁନିଆ ଦେଖୁତୁ
ସବୁ କିଛି ସେ ତୋ ପାଇଁ l
ଅବାଟରେ କେବେ ଚାଲିଗଲେ ଆମେ
ଉଗ୍ରରୂପ ତୁ ଦେଖାଉ
ନିଜ ଜୀବନକୁ ବାଜି ଲଗେଇ ତୁ
ସତ ପଥେ ଟାଣି ନେଉ l
ଜୀବନ ଦୁଆରେ ପ୍ରଥମ ଶିକ୍ଷା ତ
ତୋ ଠୁ ହୁଏ ଆରମ୍ଭ
ମଣିଷ ଗଢୁ ତୁ ସଂସ୍କାର ବି ଦେଉ
ନ ଥାଏ କିଛି ଅସମ୍ଭବ l
ସନ୍ତାନ ମୁହଁ କୁ ଚାହିଁ ଦେଲେ ତୁହି
ସବୁ ଦୁଃଖ ଭୁଲି ଯାଉ
ପାଇବା ର କିଛି ଆଶା ତୁ ନରଖି
ତୋ କର୍ତ୍ତବ୍ୟ କରିଥାଉ l
ତୋ ପଣତ ଅଟେ ଶିରିକ୍ଷେତ୍ର ନେତ
ଘଣ୍ଟ ଘୋଡାଇ ଥାଏ
ତୋ କୋଳ ଅଟେ ରତ୍ନ ସିଂହାସନ
ସୁରକ୍ଷା କବଚ ହୁଏ l
ପୁଅ ଝିଅ ତୋର ଯେତେ ବଡ ହେଲେ
ତୋ ପାଖରେ କୁନି ସନ୍ତାନ
ପଇସା ନଚାହିଁ ତୁ ପଚାରି ହେଉ ଯେ
ଖାଇଛୁ କି ନାହିଁ ଧନ l
ଜୀବନ ବୁକୁରେ ଯେତେ ଝଡ ଆସୁ
ସବୁକୁ ସାମ୍ନା ତୁ କରୁ
ସୁରକ୍ଷା ଦେଉ ତୁ ଶତ୍ରୁ ନାଶ କରୁ
ସଂହାରିଣୀ ବେଶ ଧରୁ l
ତୁହିଁ ଯେ ମମତା ତୁହିଁ ଯେ କ୍ଷମତା
ତୁହିଁ ଅଟୁ ନିରାପତ୍ତା
ଯୁଗେ ଯୁଗେ ତୋର ବନ୍ଦନା କରୁଛୁ
ତୁ ଅଟୁ ସମର୍ପିତା l
ସ୍ୱର୍ଗ ଠାରୁ ମା ବଡ ଅଟୁ ତୁହିଁ
ତୁଳନା ନାହିଁ ଯେ ତୋର
ଯୁଗେ ଯୁଗେ ତୁହି ଚିର ପୂଜନୀୟା
ଘେନ କୋଟି ପ୍ରଣତି ମୋର ll
