ମା'ର ମମତା
ମା'ର ମମତା
ଜନମ ବେଦିରୁ ଛାତିରେ ଲଗାଇ
କରିଲ ପ୍ରଥମ ଆଲିଙ୍ଗନ
କେଇଟୋପା ଲୁହ ଆପେ ଝରିଥିଲା
ଦେଇଥିଲ କପାଳେ ଚୁମ୍ବନ ।
ଛାତିରେ ଲଗେଇ ପଣତ ଘୋଡେ଼ଇ
ଦେଲ ପ୍ରେମର ପ୍ରଥମ ସ୍ପର୍ଶ
ବୁକୁ ଚିରି ମୋତେ ଅମୃତର ଧାରା
ଚଖେଇଲ ଓଠେ ଭରି ହସ ।
ହାତଧରି ମୋର ଚାଲିବା ଶିଖେଇ
କରିଲ ସାନରୁ ବଡ଼
ସମାଜ ଭିତରେ ବଞ୍ଚିବାର କଳା
ମୋ ହାତେ ଅଜାଡ଼ି ଦେଲ ।
ସବୁ ଦୁଷ୍ଟାମି ମୋର ଘୋଡେ଼ଇ ନେଇ
ସହିଲ କେତେ ଅପବାଦ
ଆଖିର ଲୁହକୁ ଓଠ ତଳେ ଚାପି
କରିନାହଁ କେବେ ବାଦ ।
ବିପଦ ବେଳାରେ ସାହସ ଦେଇଛ
ରହିଛ ମୋର ପାଖେ ପାଖେ
ଲଢ଼ିବା ଶିଖେଇ ଦେଇଛ ସଂସାରେ
ସହିବାର ଦୁଃଖେ ସୁଖେ ।
ଅଜଣା ରୋଗରେ ପୀଡିତ ହୁଅନ୍ତେ
କେତେ ପୂଜା ପାଠ କରିଛ
କରୁଣାର ହାତ ମୁଣ୍ଡରେ ଆଉଁସି
ନୂଆଁ ଜୀବନ ଟେ ଦେଇଛ ।
ଏତିକି ମାଗୁଣି ଚରଣ କମଳେ
ହେ ସ୍ନେହମୟୀ ମୂର୍ତ୍ତି ଜୀବନ୍ତ
ସବୁ ଜନମରେ ତୁମରି କୋଳରେ
ଜନ୍ମ ଲଭି ହୁଏ ଭାଗ୍ୟବନ୍ତ ।