ମା' ଗୋ କଲ୍ୟାଣମୟୀ
ମା' ଗୋ କଲ୍ୟାଣମୟୀ
ହେ ବିଶ୍ଵ ବନ୍ଦିନୀ ଦେବୀ କାତ୍ୟାୟନୀ
ଦଶ ଭୁଜାଧାରୀ ମାତା
ତୋର ଆବିର୍ଭାବ ଲୋଡ଼େ ଏଇ ଧରା
ରଖିବୁ ଲୋ ତା'ର ସତ୍ତା ।
ପୃଥିବୀ ପୃଷ୍ଠରେ ଜନମ ଲଭିଣ
ବାଧା ବିଘ୍ନ ସହଚର
ବିପଦ ବେଳ ମା ଦୂରୀଭୂତ ହୁଏ
ସେବିଲେ ତୋର ପୟର ।
ସଂକଟ ତାରିଣୀ ମହିଷାମର୍ଦ୍ଧିନୀ
ମହାଦେବ ସୁହାଗିନୀ
ତୋର ଆଗମନ ଶୁଭପ୍ରଦ ହେଉ
ଆଲୋ ମା ବିଶ୍ଵ ମୋହିନୀ ।
ଭରା କଲ୍ଲୋଳିନୀ ସାଜେ ଉନ୍ମାଦିନୀ
ସଂଗୀତ ମୁଖର ହୋଇ
ପର୍ବତ ଶିଖରୁ ଆନନ୍ଦ ବିଭୋରେ
ତୋ ଦୟାରୁ ଝରୁ ଥାଇ ।
ପ୍ରକୃତି ସୌନ୍ଦର୍ଯ୍ୟ କି ଅବା ବର୍ଣ୍ଣିବି
ପର୍ଣ୍ଣେ ପୁଷ୍ପେ ତୋର ଶୋଭା
ଖେତ ଲହରାଏ ସବୁଜ ରଙ୍ଗରେ
ଅନ୍ନ ଦାତ୍ରୀ ପରି ପ୍ରଭା ।
ଖଣ୍ଡ ଖଣ୍ଡ ମେଘ ତୋର ପଥ ଚାହିଁ
ବାନ୍ଧିଛି ତୋରଣ ମେଳା
ଉତ୍ତାଳ ଅମ୍ବୁଧି ପୁଲ୍ଲକିତ ମନେ
ଭସାଇ ଦେଇଛି ଭେଳା ।
ଶୁଆ ଶାରୀ ପିକ ତୋର ନାମେ ପରା
ଖୋଲିଲେ ଗୀତର ପେଡ଼ି
ମତୁଆଲା ହୋଇ ଧେନୁର ଆବେଗ
ଗୋଗଷ୍ଠରୁ ହମ୍ବା ରଡ଼ି ।
ଅହି ନକୁଳର ଭେଦ ଭାବ ଭୂଲି
ପାପି ତପି ଏକତ୍ରିତ
ମର୍ତ୍ତ୍ୟ ମଣ୍ଡଳରେ ତୋର କାରଣରୁ
ଦିଶେ ଲୋ ପାର୍ବଣ ଚିତ୍ର ।
ଚାଷୀ ଭାଇ ଚାଷେ ହୁଏ ତରତର
ଶାରଦ ପୂଜାକୁ ଚାହିଁ
ଉନ୍ନତ ବିହନ ଜୀବ ରୋପଣର
ଅନ୍ୱେଷଣେ ଲାଗି ଥାଇ ।
ଜଙ୍ଗଲ ପଦାର୍ଥ ଗନ୍ଧ ଝୁଣା ଦ୍ରବ୍ୟ
ସଜାଡିଲେ ଆଦିବାସୀ
ପବିତ୍ର ପୂଜନେ ମନ ନିବେଶିଲେ
ହୃଦୟରେ ରଖି ଖୁସି ।
ଅଜସ୍ର ଧାରାକୁ ଶ୍ରାବଣ ରଖିଛି
ଦେବୀ ସ୍ନାନ ଉପଲକ୍ଷେ
ଉତ୍କଣ୍ଠିତ ଭକ୍ତ ହରିବୋଲ ଦେବେ
ନାରୀ ହୁଳହୁଳି ସୁଖେ ।
କୃପା କରି ମାତ ଆସିବୁ ଧରାରେ
ପ୍ରଭାତୀ ମିନତି ଏହି
ଦୟା ମାୟା ଦୃଷ୍ଟି ରଖି ଥିବୁ ମାତ
ଦେଇ ତୋ ପଣତ ଛାଇ ।
