ଲୁହ
ଲୁହ
ତୁମେ ଗର୍ଭିଣୀ ମେଘ ପରି
ଝରିପଡ଼ ଦୁଃଖ ଓ ସୁଖରେ
ଦୋଲୁକାଇ ଦିଅ ଦଶଦିଶ।
ଆଖିରେ ସାଇତି ହୋଇ ରୁହ କାହିଁକି?
କ'ଣ ଦରକାର ଥାଏ ଦୁଃଖ ଓ ସୁଖରେ ଝରିବା
କେହି ବି ବାଦ ପଡ଼ନ୍ତି ନାହିଁ
ଏ ସଂସାର ହାଟରେ
ଉଦ୍ଭିଦ ହେଉ କି ପ୍ରାଣୀ?
ଆକାଶରୁ ଅସରାଏ ବର୍ଷାରେ
ଅଥବା କଳାହାଣ୍ଡିଆ ମେଘ କି
ବଜ୍ରର ପ୍ରହାରେ
ଝରିପଡ଼ ଅବିରତ ଥପଥପ୍।
ସୁଖ ଓ ଦୁଃଖରେ ଆସୁଥାଅ ବୋଲି ତ
ସଭିଏଁ ଡାକନ୍ତି
ଯେବେ ନିହାତି ଦରକାର ମଣନ୍ତି
ଅତିରେ କି ଇତିରେ
ହସରେ ଆଉ ପୁଣି ଦୁଃଖରେ।
ସତରେ !
ତୁମେ ଈଶ୍ବରଙ୍କ ଦାନ
ମହାପୂଣ୍ଯ କରିଥାଅ ବୋଲି କି
ଝରିପଡ଼ ଦରଦର,ଝରଝର
ଆଉ ତୁମ ନିର୍ଗମନରେ ବି
ଏ ଦେହ ରଥଟା
ହାଲୁକା ହୁଏ,ସ୍ବଚ୍ଛ ହୁଏ ଓ ପବିତ୍ର ବି ହୁଏ
ଯେମିତି ଏକବାର
ଶାନ୍ତି ହିଁ ଶାନ୍ତି।
ଆତଯାତ ପାଇଁ ଧନ୍ଯବାଦ
ଆଉ କୋଟିଏ ପ୍ରଣାମ ବି
ବର୍ଷିଦିଅ ତ ଚୁମକେ।
ହେ ଲୁହ !
ହାଲୁକା ହେଉ ଜୀବନ ଯୌବନ
ପୂରି ଉଠୁ ଦେହ,ମନ ଓ ପ୍ରାଣ
ରଥ ପରି ଗଡି଼ଗଡି଼ ଯାଉଥିବା ଲହୁ ଲୁହାଣରେ
ଅଥବା ଆକ୍ତାମାକ୍ତା ହେଉଥିବା ସ୍ବର୍ଗୀୟ ପ୍ରେମରେ ପ୍ରେମରେ।