ଲୁହ
ଲୁହ
ହେ ଲୁହ ! ତୁ କିମ୍ପା ବରଫ ହୋଇଲୁ
କିପରି କାନ୍ଦିବି ମୁହିଁ ?
ଅନେକ ଅକୁହା ବେଦନା ମୋ ମନେ
ଯିବ ବେସାହାରା ହୋଇ।
ମୋ ଆଖି ପରିଧି ଛୁଇଁ ପାରିବୁନି
ତୁହି ଆଉ କେଉଁଦିନ।
ମୋ ଆଖିଲୁହକୁ ପୋଛିବା ତ କେହି
ହୋଇବ ସାତ ସପନ।
ମୋ ମନ ତଳର ଅକୁହା ବେଦନା
ଯାହା ମୁଁ ପାରେନା କହି।
ତୋ ସହିତ ମିଶି ସେ ଦୁଃଖ ଯନ୍ତ୍ରଣା
ବହିଥାନ୍ତା ପାଣି ହୋଇ।
ତୁ ପରା ମୋ ବନ୍ଧୁ ମୋ ଅକୁହା ବ୍ୟଥା
ତୋତେ ହିଁ କେବଳ ଜଣା।
ଆଶା ଥିଲା ତୁହି ମୋ ଅକୁହା ବ୍ୟଥା
କରିଦେବୁ ଟିକେ ଉଣା।
ଜାଣେନା କାହିଁକି ଏ ଦୁନିଆ ପରି
ହେଲୁ ଆଜି ସ୍ଵାର୍ଥପର।
ଯେତେ ଚାହିଁଲେ ବି କାନ୍ଦି ମୁଁ ପାରେନା
ଯେଣୁ ତୁ ଆଜି ନିଷ୍ଠୁର।
ତୋ ବିନା କେ ଦୁଃଖ କରିବ ଲାଘବ
ହୁଅନା ଆଉ ନିଷ୍ଠୁର।
ବହିଯା ଆଖିରୁ ମୋ ବ୍ୟଥାକୁ ନେଇ
ଅନ୍ତରଙ୍ଗ ସାଥି ମୋର।।
