ଲୁଚନ୍ତି ପଣତ ତଳେ
ଲୁଚନ୍ତି ପଣତ ତଳେ
ଥାଆନ୍ତା କି ମାଆ କଦମ୍ବ ଗଛଟେ
ଆମ ଗାଁ ନଦୀର ତୀରେ
ସତ କହୁଛି ମୁଁ କଳାକାହ୍ନୁ ଭଳି
ଗଛକୁ ଚଢନ୍ତି ଧୀରେ ।
କିଣିଥାନ୍ତୁ ଯଦି ଦୁଇଟଙ୍କା ଦେଇ
ମେଳାରୁ ମୁରଲୀ ଖଣ୍ଡେ
ମୋ' ପାଇଁ ସରାଗେ କଦମ୍ବର ଶାଖା
ଝୁଙ୍କି ଯାଇଥାନ୍ତା ଦଣ୍ଡେ ।
ତୋତେ ନଜଣାଇ ଲୁଚିଛପି ଯାଇ
ଚଢନ୍ତି ଉପର ଡାଳେ
ମୁରଲୀ ବଜାଇ ମୋହି ନେଇଥାନ୍ତି
ପଶୁପକ୍ଷୀ ବନମାଳେ ।
ମୟୂର କୋଇଲି ପାଖେ ବସିଥାନ୍ତେ
ବାଛୁରି ହୁଅନ୍ତେ ମିତ
ହରିଣ ଛୁଆ ବି ଡିଆଁ ମାରୁଥାନ୍ତା
ଶୁଣି ମୋ' ମଧୁର ଗୀତ ।
ବଂଶୀର ସ୍ବରରେ ମାଆ ମାଆ ବୋଲି
ଡାକନ୍ତି ମିଛରେ ରୁଷି
ସେହି ଡାକ ଶୁଣି କାମଧନ୍ଦା ଛାଡି
ଆସିଥାନ୍ତୁ ହୋଇ ଖୁସି ।
ତୋ' ଆସିବା ଦେଖି ନୀରବି ଯାଆନ୍ତି
ଅଣ୍ଟାରେ ବଂଇଶୀ ଖୋସି
ମୋତେ ତୁ ନପାଇ ଆକୁଳ ହୁଅନ୍ତୁ
ଧନ'ରେ ଧନ'ରେ ଘୋଷି ।
ଜଣାଇବା ପାଇଁ ହଲାଇ ଦିଅନ୍ତି
ସରୁ ଡାଳଟିଏ ଧରି
ଉପରକୁ ଚାହିଁ ଦେଖିବା ମାତ୍ରକେ
ଛାନିଆ ହୁଅନ୍ତୁ ଡରି ।
ଛାଟଟିଏ ଧରି ଓହ୍ଲାଇବା ପାଇଁ
କରିଥାନ୍ତୁ ଯେବେ ଗାଳି
ଆହୁରି ଊପର ଡାଳକୁ ଚଢନ୍ତି
ଆଦେଶ ତୋହର ଟାଳି ।
ଆଖି ବୁଜିଦେଇ ରାଧାମାଧବଙ୍କୁ
ବିନତି କରନ୍ତୁ ବଳେ
ଧ୍ୟାନେ ଦେଖି ତୋତେ ଗଛରୁ ଓହ୍ଲାଇ
ଲୁଚନ୍ତି ପଣତ ତଳେ ।
