ଲୁଚାଇବି ନାହିଁ କିଛି
ଲୁଚାଇବି ନାହିଁ କିଛି
ବିତିଅଛି କେତେ ଉନ୍ମିଦ୍ର ରଜନୀ
ତୁମ କଥା ଭାବି ଭାବି
ହୃଦୟର ପୀଡା ବୁଝିବ କିଏ ବା
ନିଜେ ସିନା ଅନୁଭବୀ ।
ମନର ବ୍ଯଥାକୁ ଲେଖି ଲେଖି ଯତ୍ନେ
ଡାଏରୀ ପୃଷ୍ଠା କାଗଜେ
ନ ପଢିବେ କେହି ଅଠା ଚେପା ଦେଇ
ରଖିଛି ମୋଡି ନିବୁଜେ ।
ଝରି ଶୁଖିଅଛି ଆଖି ଲୁହ କେତେ
ଇୟତ୍ତା ମୁଁ ରଖିନାହିଁ
ପଚାରିଛ ଯେବେ ମିଛ ରାଣ ଖାଇ
କହେ ଭଲ ଅଛି ମୁହିଁ ।
ବୁଝୁଛି ଏବେ ମୁଁ ଥାଏ ଏକ ସୀମା
ପ୍ରତୀକ୍ଷା ସହଜସାଧ୍ୟ
ଗଲେ ଅତିକ୍ରମି ଲକ୍ଷ୍ମଣରେଖାକୁ
ଲାଗେ ଶୂନ୍ଯ ଦଶଦିଗ ।
ତିକ୍ତ କଟୁ ମଧୁ ହୃଦୟ ଯନ୍ତ୍ରଣା
କହି ବୁଝାଇ ନୁହଁଇ
ଲୁଚାଇବି ନାହିଁ କିଛି ତୁମ ପାଶେ
ମନଖୋଲି ଦେବି କହି ।

