ଲୋତକ
ଲୋତକ
ଝରି ଯାଉଥିଲା, ଲୋତକ ଚକ୍ଷୁରୁ,
କାନ୍ଧୁଥିଲି କଇଁ କଇଁ ।
ନ ଥିଲା ପେଟରେ, ଖୁଦ ଯାଉ ପୁଳେ,
ଶୂନ୍ୟକୁ ଥିଲି ମୁଁ ଚାଇଁ ।।
ବାବୁ ବାବୁଆଣି, ପୋଲାଉ ଖୁଆନ୍ତି,
ସନ୍ତାନଙ୍କୁ ତାଙ୍କ ବଳେ ।
ଦରିଦ୍ର କାଙ୍ଗାଳ, ଥିଲି ମୁହିଁ ସତ,
ଈର୍ଷାଳୁ ନଥିଲି ତିଳେ ।।
ନ ପାଇଲେ ଦାନା, ନ ହୁଏ ଆତୁର,
ଉପବାସେ ଯାଏ ସୋଇ ।
ହାତ ପାତି ନାହିଁ, ଦୁଆର ଦାଣ୍ଡରେ,
ମାଆ ମାଉସୀଏ କହି ।।
ଛିଣ୍ଡା କଟା ଫଟା, ପିନ୍ଧୁ ଥିଲି ସତ,
କତରାକୁ ଯୋଡି ସେଇଁ ।
ବାବୁ ହାକିମର, ପୋଷାକତ ଭାଗ୍ୟ,
କର୍ମ ଫଳ ଦିଏ ସ୍ୱାଇଁ ।।
ଦେଖୁଥାଏ ନୀତି, ଦାଣ୍ଡ ଦୁଆରରୁ,
ଛାତ୍ର ଛାତ୍ରୀଙ୍କର ଭେକ ।
ପଢିବି ନିଶ୍ଚୟ, ବିଦ୍ୟାଳୟ ଯିବି,
କରିବି ଜ୍ଞାନ ଉଦ୍ରେକ ।।
ଝରାୟେ ଲୋତକ, ବିଦ୍ୟାଳୟ ପାଇଁ,
ଜ୍ଞାନ ବୁଦ୍ଧି ବିଦ୍ୟା ପାଇଁ ।
କିଏ ସେ ପୋଛିବ, ମୋ ଆଖିରୁ ଲୁହ,
ସାହା ଏକା ସେ ଗୋସେଇଁ ।।
ପଢିବି ଗଢିବି, ଭବିଷ୍ୟତ ମୋର,
ଥିବା ଯାଏ ଶେଷ ସ୍ୱାସ୍ ।
ମାଗି ଯାଚି ବହି, କରିଥିଲି ମୁଇଁ,
ବିଦ୍ୟାଳୟ ରେ ପ୍ରବେଶ ।।
କରି ନିଜ କର୍ମ, ବିଲ ବାଡ଼ି କାମ,
ପଢ଼ୁଥିଲି ସବୁ ପାଠ ।
ଯେତେ ଝରୁ ପଛେ, ଚକ୍ଷୁରୁ ଲୋତକ,
ପଢୁଥାଏ ହୋଇ ଶ୍ରେଷ୍ଠ ।।
