ଲୋହିତ ଗୋଧୂଳି
ଲୋହିତ ଗୋଧୂଳି
ପ୍ରତୀଚୀ ଗଗନେ ଦୂର ଦିଗବଳୟେ
ଅସ୍ତଗାମୀ କ୍ଲାନ୍ତ ରବି,
ସନ୍ଧ୍ୟାରାଣୀ ସତେ ବିଦାୟ ବେଳାରେ
ଭରିଦିଏ ପ୍ରୀତି ଛବି |
ଚାହିଁ ରହିଥାଏ ସନ୍ଧ୍ୟାରାଣୀ ନିତି
ପିନ୍ଧି ସେ ଗୋଲାପୀ ବାସ,
ସୂର୍ଯ୍ୟଙ୍କ ପ୍ରୀତିର ଉତ୍ତାପରେ ସିଏ
ଏକାକାରେ ହେବ ଶେଷ |
ପ୍ରକୃତିର ଏଇ ଅପୂର୍ବ ମିଳନେ
ପୁଲକ ଖେଳେ ଧରାରେ,
ଗୋଧୂଳି ଭିଜଇ ଲୋହିତ ରଙ୍ଗରେ
ପ୍ରୀତି ପ୍ରତିବିମ୍ବ ଝରେ |
ସତେ କି ଝରଇ ପ୍ରୀତି ରେଣୁ ରଙ୍ଗ
ନିବିଡ଼ ମିଳନ ଶେଷେ,
ବିଦାୟ ବେଳାରେ ସନ୍ଧ୍ୟା ହଜିଯାଏ
ଅନ୍ଧାର ଯେବେ ଆସେ |
ଗୋଧୂଳି ହଯାଏ ଲୋହିତର ରଙ୍ଗ
ସମୀରଣେ ଭାସିଯାଇ,
ତା ରୂପ ମାଧୁରୀ ପ୍ରୀତି ଭରିଦିଏ
ମଧୁ ରାତି ସ୍ମୃତି ଦେଇ |
ଲୋହିତ ଗୋଧୂଳି ବେଳା କହିଦିଏ
ନିଡ଼େ ଫେରା ବିହଙ୍ଗମେ,
ରାତି ଆସିଲାଣି ଫେରିଯାଅ ନିଡ଼େ
ଅନ୍ଧାର ଗ୍ରାସିବ ଦ୍ରୁମେ |
ଗାଈ ଫେରିଲେଣି ଆକାଶେ ଉଡ଼ଇ
ଲୋହିତ ରଙ୍ଗେ ଗୋଧୂଳି,
ଏ ତ ଧରାବନ୍ଧା ପ୍ରକୃତି ର ରୂପ
ସନ୍ଧିକ୍ଷଣ ଆସେ ଢଳି |
ଦେବ ମନ୍ଦିରରେ ବାଜିଲାଣି ଘଣ୍ଟ
ସନ୍ଧ୍ୟା ଆଳତୀ ଯେ ହେବ,
ତୁଳସୀ ମୂଳରେ ବଧୂ ଜାଳେ ଦୀପ
ମନେ ଭରି ଭକ୍ତି ଭାବ |
ବିଦାୟ ନେଲାଣି ଲୋହିତ ଗୋଧୂଳି
ଅନ୍ଧାର ଘନେଇ ଆସେ,
ପଶ୍ଚିମ ଆକାଶ ରଙ୍ଗ ହଜିଲାଣି
ସନ୍ଧ୍ୟା ତାରା ଦୂରେ ହସେ |