STORYMIRROR

Chittaranjan Parida

Drama

4  

Chittaranjan Parida

Drama

ଲଣ୍ଠନ

ଲଣ୍ଠନ

1 min
288

ଅଳନ୍ଧୁବୋଳା ପିଲାଦିନର ଲଣ୍ଠନ

ଆଜିବି ତା' ବାର୍ଦ୍ଧକ୍ୟରେ

ଆମ ଠଣାର ଶୋଭା କରୁଛି ମଣ୍ଡନ।

ମନେ ପଡେ ମୋ ପିଲାବେଳର ସ୍ମୃତି

ଆମ ଗାଁ'ରେ ନଥିଲା ଇଲେକ୍ଟ୍ରିସିଟି

ସନ୍ଧ୍ୟା ହେଲେ ମାଆ

ଜାଳିଦେଉଥିଲା ଲଣ୍ଠନ

ଆଉ କହୁଥିଲା ପୁଅରେ

ନେଇଯାଆ, ପିଣ୍ଡାରେ ବସି ପଢିପକା

କଥାମାନି ଲଣ୍ଠନକୁ ଆଗରେ ବସାଇ

ପାଠ ପଢିଯାଏ ମନ ଲଗାଇ।

କାଚର କାନ୍ଥ ଭିତରେ ଉଜ୍ଜ୍ବଳ ଶିଖାଟି

ବୋଲକରା ହିଂସ୍ରଜନ୍ତୁ ଭଳି

ମୋତେ ଚାହିଁ ରହିଥାଏ

ବାରଣ୍ଡାରେ ଫୁଲକା ପବନରେ

ମୋ ବହିର ପୃଷ୍ଠା ଓଲଟି ପଡେ

ହେଲେ ଲଣ୍ଠନର ଶିଖା ସ୍ଥିର ରହି

ମୋତେ ଯେମିତି ନିର୍ବାକରେ କହୁଥାଏ

ଦେଖ୍ ମୁଁ କିଭଳି ସ୍ଥିତପ୍ରଜ୍ଞ ।

ଦିନେ ଲଣ୍ଠନଟି ଧପ୍ ଧପ୍ ହୋଇ

ଉଚ୍ଚ ଶିଖା ଦେଇ ଜଳିଉଠିଲା

କଣ ହେଲା ବୁଝିବା ଆଗରୁ

ମା' ଆସି ଲିଭେଇ ଦେଲା

ମୋ ଅବୁଝା ଆଖିକୁ ଚାହିଁ

ହସି ହସି ବୁଝାଉଥିଲା

କିରାସିନି ଭର୍ତ୍ତି କଲାବେଳେ

ଅଧିକ ହୋଇ ଉଛୁଳି ଥିଲା

ମୁଁ ଭାବିଲି ତା ପେଟ ପୂରି ଫାମ୍ପିଗଲା

ଯେଉଁଥିପାଇଁ ବାହାରକୁ ହିତ୍କାର କଲା ।

ବେଳେ ବେଳେ ପଢ଼ା ସମୟରେ

କାହିଁ କେତେ ପ୍ରକାର କୀଟ ପତଙ୍ଗ

ଲଣ୍ଠନ ଚାରିପଟେ ଘୂରିବୁଲନ୍ତି

ପାଠପଢାରେ ଅସୁବିଧା ହୁଏ 

ବାପା ଗଛରୁ ଡାଳଟିଏ ଆଣି

ଲଣ୍ଠନର ପଛପଟେ ଥୋଇଦିଅନ୍ତି

ମୁଁ ଆନନ୍ଦରେ ପାଠ ପଢ଼ିଯାଏ ।

ମା' ପ୍ରତିଦିନ ଲଣ୍ଠନକୁ ସଫାକରେ

କାଚରେ ଚୂନ ଲଗେଇ

ଆଉ ଉପର ଢାଙ୍କୁଣୀରୁ

ପୋଳା ପୋଳା କଳାକୁ ଛଡାଇ

ମୁଁ ଭାବେ ଲଣ୍ଠନ ଖାଉଥିବା କିରାସିନି

କିଛି ହଜମ ନହୋଇ 

କଳା ହୋଇ ବାହାରି ଆସେ ।

ଆଜି ବି ସେ ମୋ ପାଇଁ ଦରକାରୀ

କରେଣ୍ଟ ଚାଲିଗଲେ ଖୋଜାପଡେ

ନିର୍ବିଘ୍ନରେ ତା'ବତୀକୁ ଜଳାଇ

ଆଲୋକ ଦେବାରେ ହେଳା କରେନି

ଦୀର୍ଘଦିନର ଆମ ବନ୍ଧୁତା ଭିତରେ

ଦେଖି ନାହିଁ ତାକୁ କେବେ ଥକି ପଡିବାର

କେବେ ହିଂସା କରିବାର

କେବେ ବି ପ୍ରୟାସ କରିନି 

ଆବଦ୍ଧ କାଚ ଭିତରୁ ପଦାକୁ ବାହାରିବାର

ବିଚରା ଜୀବନସାରା ଜଳି ଜଳି

ମୋତେ ଖୁସି ବାଣ୍ଟିଛି

 ଯନ୍ତ୍ରଣାକୁ ପିଇବାର ରାହା ଦେଖେଇଛି ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama