ଲେଉଟା ଫଗୁଣ
ଲେଉଟା ଫଗୁଣ
ପୁଣି ଆସିଲାଣି ସେ ଫଗୁଣ ଫୁଲେଇ
ସାଥେ ଘେନି ପେନ୍ଥା ପେନ୍ଥା ଫୁଲ
ମୁଣ୍ଡରେ ଲାଲ ଫିତା ବାନ୍ଧି
କେଉଁ ଏକ କୁନି ଝିଅ ପରି
ଚାଲୁ ଚାଲୁ ଦଉଡୁ ଥିବା ଅବା
ଦଉଡୁ ଦଉଡୁ ଚାଲୁଥିବା
କୁଆଁରୀ ଗାଉଁଲି କିଶୋରୀ ପରି
ଭରି ଅନେକ ଅକୁହା ଉମଙ୍ଗ
ଅଫୁଟା କଳିର ଉତ୍ସାହୀ ମନ ତଳୁ
ଆଦେଖା ସପନର ନହୁଲୀ ମହଲ
ପୁଣି ଆସିଲାଣି ସେ ଫଗୁଣ ଫୁଲେଇ
ସାଥେ ଘେନି ପେନ୍ଥା ପେନ୍ଥା ଫୁଲ।।
ଖୋଜ ଖୋଜି ଚଟକା ଚଟକା ରଙ୍ଗ
ଉଡି ବୁଲିଲାଣି ଛଟକୀ ପ୍ରଜାପତି
କାନେ କାନେ ପ୍ରତି ପ୍ରୀତି ପାଗଳିନୀ
ଯୌବନ ବିଥିକା କୁଷୁମ କଳିକାର
ତୁନି ତୁନି କହେ ସତେ ପୀରତି ବାରତା
କେଉଁ ସହଚରୀ ହାତୁ ପ୍ରେମ ପତ୍ର ପରି
ଲୁଚି ଲୁଚି ପଢ଼ିବାର ପିପାଷା ପ୍ରବଳ
ଅତି ଅସହ୍ୟ ଆବେଗ ପ୍ରୀତି ପାଗଳିନୀ ତୁଲ
ପୁଣି ଆସିଲାଣି ସେ ଫଗୁଣ ଫୁଲେଇ
ସାଥେ ଘେନି ପେନ୍ଥା ପେନ୍ଥା ଫୁଲ।।
ଲାଜେ ଆରକ୍ତ ଗଣ୍ଡ, ନିମିଳିତ ନେତ୍ର
ରଙ୍ଗ ଭରି ଅଙ୍ଗେ ଅଙ୍ଗେ ତରଙ୍ଗୀତ ଆଭା
ଲାଜର ଓଢଣୀ ତଳୁ ପୀରତି ନିହାରେ
ମଜ୍ଜି ଯାଏ ଅବା ପ୍ରୀତି ସମ୍ଭାର ସଜେଇ
ମନଲୋଭା ସୁଗନ୍ଧ ଅପାର ଅଜାଡ଼ି
ସମ୍ମୋହିତ କରି ଯୁବା ଚେତନା ସମସ୍ତ
ସେ ଭ୍ରମର,ସେ ପବନ,ସେହି ପ୍ରଜାପତି
ମଧୁ ବୋଳା ବାଳା ଫୁଲ ପ୍ରେମରେ ପାଗଳ
ପୁଣି ଆସିଲାଣି ସେ ଫଗୁଣ ଫୁଲେଇ
ସାଥେ ଘେନି ପେନ୍ଥା ପେନ୍ଥା ଫୁଲ।।
