ଲେଖନୀରୁ ଝରୁ ଭାଷାର ମହୁ
ଲେଖନୀରୁ ଝରୁ ଭାଷାର ମହୁ
ମନର ଭାବକୁ ଭାଷାରେ ପ୍ରକାଶ
କରଇ କେବଳ ଜଣେ ଚେତନ
ଲିଖିତ ଭାଷାଟି ହୁଏ ଦୀର୍ଘସ୍ଥାୟୀ
କଥିତ ଦିନକୁ ଦିନ ଉଭାନ ।
ଭାଷା ଆଉ ଭାବ ଥିଲେ ରସାତ୍ମକ
ପଠନେ ଗାୟନେ ବଢେ ଆଗ୍ରହ
ସରଳ ସରସ ଭାଷା ପ୍ରୟୋଗରେ
ବୁଝିବା ନ ହୁଏ କେବେ ଦୂରୁହ ।
ଶବ୍ଦବିଭା ସହ ଶୁଦ୍ଧ ବ୍ୟାକରଣ
ବନାନ ଶୁଦ୍ଧରେ ରଖି ଧିଆନ
ଯଥା ଉପଯୁକ୍ତ ଭାଷାର ପ୍ରୟୋଗେ
ଉଚ୍ଚ ସ୍ଥାନ ଲଭେ ସେହି ଲିଖନ ।
କିଣିହୁଏ ଆନ ହୃଦୟ-ମନକୁ
ପରିବେଷଣରେ ଥିଲେ ନିପୁଣ
ଚିର ଉଜ୍ଜୀବିତ ରହଇ ମହୀରେ
ଲେଖକ ଲିଖନ ଉଭୟ ଦାନ ।
ଯେନତେନ କରି ଲେଖିଲେ ଦିପଦ
ପାଠକ ହୁଅଇ ନିରୁତ୍ସାହିତ
ବୃଥା ସର୍ଜନାରେ ଥାଏ କେଉଁ ଲାଭ
ମନକୁ ନ କରେ ଯା' ହରଷିତ ।
ବାଣୀଭଣ୍ଡାରର ସମୃଦ୍ଧି ପାଇଁ କି
ପଠନେ ଲିଖନେ ଦେଲେ ଗୁରୁତ୍ବ
ଲେଖନୀରୁ ପରା ଝରି ଭାଷା ମହୁ
ଲିଖନର ବଢାଇବ ମହତ୍ତ୍ଵ ।