ଲେଖନୀର ପାଦ ତଳେ ମସ୍ତକ ବନ୍ଧୁକର
ଲେଖନୀର ପାଦ ତଳେ ମସ୍ତକ ବନ୍ଧୁକର
ବିସ୍ତୀର୍ଣ୍ଣ ପୃଥିବୀ ଉପରେ ନୀଳ ଆକାଶର
ଛାତ, ମଣିଷର ମୁଣ୍ଡ ଉପରେ ରହିଛି
ଶ୍ବାସ ପାଇଁ ପ୍ରକୃତି ମାଗଣା ପବନ ଦେଇଛି,
ପିଇବା ପାଇଁ କି ପାଣି ମଧ୍ୟ ଅଛି ।
ଆବଶ୍ୟକତା ପୂରଣେ ତରୁ ବୃକ୍ଷ ଲତା ସୁନ୍ଦର
ଫଳ ଗଛ ମାନ ଯୋଗାଇଛି
ବଡ଼ ବଡ଼ ନଦୀ ପାହାଡ଼ ପର୍ବତ ସବୁ ତ ଆମରି
ପାଇଁ ସବୁ ପ୍ରକୃତି ଖଞ୍ଜି ରଖିଛି ।
କିନ୍ତୁ ଆମରି ସକାଶେ ଆଜି ସରବ ପ୍ରକୃତିଦତ୍ତ
ପାଣି, ପବନ, ମାଟି ଓ ଜଂଗଲକୁ
ଆଜିର ଏ ମଣିଷ, ନିଜ ସ୍ୱାର୍ଥ ପାଇଁ ସହର, ଓ
ଶିଳ୍ପାଂଚଳ କରି ଟାଣୁଛି ଧ୍ୱଂସ ଆଡକୁ ।
ଜଳୁଛି ସରବ ମଣିଷ ଜୀବନ, ଏହି ବିଶ୍ବମଞ୍ଚେ,
ଆତଙ୍କରେ ହୋଇ ହା ହା କାର
ଏ ସବୁକୁ ମନରେ ଭାବି, ମୋ ମନ ମଧ୍ୟରେ ତ
ଆସଇ ଆଜ ଏହି ବିଚାର ।
ଭର୍ତ୍ତି ହୋଇଛି କପଟ, ହିଂସା, ଦ୍ୱେଷ, ଇର୍ଷା,
ଅତ୍ୟାଚାର ଓ ଅହଙ୍କାର
ସତ୍ୟ ଧର୍ମ ନ୍ୟାୟ ସବୁ ବିପଦେ, ଦେଖୁଛେ
ସଙ୍ଘର୍ଷ, ମଣିଷ ସହ ମଣିଷର ।
ଛଳନାକୁ କରି ସଙ୍ଗ, ନିଜ ସ୍ୱାର୍ଥେ ମଣିଷ
କହେ ମିଥ୍ୟା ଓ କରେ ପ୍ରତାରଣା
ପ୍ରବଞ୍ଚନା ଭାବନାରେ ଗରିବଂକୁ ବଡ ବଡ
ପୁଂଜିପତି ସବୁ ଦିଅନ୍ତି ଯାତନା ।
ସ୍ବାର୍ଥ ପଥେ କରି ଗତି, ମଣିଷ କପଟେ,
ମଧୁର ସମ୍ପର୍କେ ସୃଷ୍ଟି କରେ ନରକ
ଧନୀକର ସ୍ବାର୍ଥେ ବ୍ୟସ୍ତ, ଆଜିର ଦେଶର
ରକ୍ଷାକର୍ତ୍ତା, ସାଜି ଅଛି ଭକ୍ଷକ ।
ସମସ୍ତେ କହୁଛେ, ବେଶୀ ଲୋଭ କଲେ
ଆମେ ପରା ଅମଣିଷ ହେବା
ସମ୍ପତ୍ତି ନେବାନି ସାଥେ, କିଆଁ କୁହ ତେବେ
ଲୋଭର ବଶବର୍ତ୍ତିୀ ହେବା ।
କବି ବନ୍ଧୁ ଯେତେ, ସେମାନଙ୍କୁ ତେଣୁ ପଦେ
କହେ କାହିଁକି ଲେଖିବା କବିତା
ସେ କବିତା ଯଦି ଦୂର କରି ପାରିବନି ସରବ
ଦୁଃସ୍ଥ ମଣିଷର ଦୁଃଖ ଓ ବ୍ୟଥା ।
କିଆଁ ଲେଖିବା କବିତା, ଯାହା ଦେଖାଇବ
ନାହିଁ ମଣିଷେ ପ୍ରଗତିର ରାସ୍ତା
ଅନ୍ଧତ୍ୱ, କୁସଂସ୍କାର ବିରୁଦ୍ଧରେ ସେ କବିତା
ଯଦି ନଦେଇ ପାରିଲା ବାର୍ତ୍ତା ।
ପୋକମାଛି ପରି ମରେ ଜନତା ବାହାସ୍ପୋଟ
ଖାଲି ମାରନ୍ତି ଏଠି ଯେତେ ନେତା
ସେ କି ପ୍ରକାର ସାହିତ୍ୟ ଯଦି ମଣିଷ ଭିତରେ
ସୃଷ୍ଟି କରି ପାରୁନି ମାନବିକତା ।
ନାହିଁ ସନ୍ଦେଶ କବିତାରେ ଯେତେବେଳେ
ଶାସନେ ଚାଲିଛି ଅରାଜକତା
ସ୍ୱଧର୍ମ ସ୍ୱଜାତିର ଟେକ ଖାଲି ଚିରିବୁ ଅନ୍ୟର
ବକ୍ଷ କବିତାରେ ନଥାଇ ଉନ୍ନତ ଚିନ୍ତା ।
ଦେଖିଛେ ସମର ତରଂଗେ, କବି କରଇ ରାଜା
ଅତ୍ୟାଚାରକୁ ଜୟ ନାଦ ଓ ଟେକ
ନାରୀ ରୂପ ବର୍ଣ୍ଣନାରେ କବିତାର କି ଲାଭ, ଦେଇ
ପାରେ ଉତ୍ତେଜନାରେ ଆନନ୍ଦ କ୍ଷଣିକ ।
ହେ ସାହିତ୍ୟକାର, ଚିତ୍ରକର ହୋଇ, ସୃଷ୍ଟି କର
ଉତ୍ତମ ଚରିତ୍ର, ଆଣ ସଂସ୍କାର
ତୁମ ଲେଖନୀରେ, ଦୁନିଆରେ ମନରେ ସାହସ,
ଆତ୍ମବିଶ୍ବାସ, ଆଦର୍ଶ ସୃଷ୍ଟି କର ।
ସୃଷ୍ଟିରେ ହୋଇ ବିଶ୍ୱକର୍ମା, ତୋଳି ଦିଅ
ତୁମେ ହୃଦୟବାନ ଶ୍ରେଷ୍ଠ ନାୟକ
ତୁମେ ହୁଅ ହେ ଲେଖକ, ମଣିଷର ରକ୍ଷକ,
ସହାୟକ, ମାର୍ଗ ପ୍ରଦର୍ଶକ ଓ ଶିକ୍ଷକ ।
ଭାବନାର ଅନ୍ତ ନାହିଁ, ମନରୁ ଶବ୍ଦ କେବେ
ସରିବନି ଏହି ଦୁନିଆ ଭିତରେ
କଲମ ତଳେ ବନ୍ଧୁକର ମସ୍ତକ, ଭୁଲ ନାହିଁ,
ଧୈର୍ଯ୍ୟର ସାଗର ସୃଷ୍ଟି ହୁଏ ଲେଖନୀରେ ।
