ଲେଖନୀ ତୁ ମୋର
ଲେଖନୀ ତୁ ମୋର
ଲେଖନୀ ତୁ ମୋର ଚିର ସହଚର
ସୁଖର ଦୁଃଖର ସାଥୀ,
ମୋ ଅନ୍ତର କଥା ତୋତେ ହିଁ କହିଛି
ଆପଣାର ବୋଲି ଚିନ୍ତି।
ଏତେ ବଡ଼ ଏଇ ସଂସାର ଭିତରେ
କେ ହେବ ତୋହରି ପରି,
ମୋ କଥାରେ କେବେ ଜହ୍ନ ରାଇଜରୁ
ସହଜେ ଆସିଛୁ ଫେରି।
ଅଥଳ ସାଗରେ ଡେଇଁ ତୁ ପଡିଛୁ
ଗଭୀରତା ମାପିବାକୁ,
ଅରାଜି ହୋଇନୁ ଶୂନ୍ଯତାକୁ ଯାଇ
ଶବ୍ଦ ଫୁଲ ତୋଳିବାକୁ।
ତୁହିରେମୋ କୃଷ୍ଣ ମୁହିଁ ତୋ ସୁଦାମା
ସମ୍ପର୍କ ଘନିଷ୍ଠ ଅତି,
ତୋର ମୋର ଭାବ ଦେବଙ୍କୁ ଦୁର୍ଲ୍ଲଭ
ତୁହି ନିଦ ମୁହିଁ ରାତି।
ଅବର୍ଣ୍ଣନୀୟ ତୁ ଅଲେଖ ଅଭେଦ
ତୋତେ ବୁଝିପାରେ ନାହିଁ,
ରବି ଯେଉଁଠାରେ ନ ପାରଇ ଭେଦି
ତୋର ଗତି ଅଛି ତହିଁ।
ସଦ୍ଭାବ ସ୍ଥାପନ କରି ଏ ମଣିଷ
ବିଶ୍ଵାସେ ଢାଳୁଛି ବିଷ,
କୃତଘ୍ନ ପରାଏ ସାଙ୍ଗର ଗଳାରେ
ଛୁରୀ ବି ମାରେ ଅବଶ୍ୟ।
କୋଳରେ ଶୁଆଇ ମୁଣ୍ଡ ଥାପୁଡ଼େଇ
ନିଦ୍ରାକାଳେ ମାରିପାରେ,
ନେବାଦେବାବେଳେ ମିଠାକଥା କହେ
ନ ଦେଲେ ମୁହଁକୁ ମୋଡେ।
ତୁହି କିନ୍ତୁ କେବେ ଦେଇନୁରେ ଧୋକା
ଏ ଲକ୍ଷଣ ତୋଠିଁ ନାହିଁ,
ସେଇଥିପାଇଁକି ତୁହି ମୋ ଆପଣା
ଚିର ସହୋଦର ଭାଇ।
ଲେଖନୀରେତୋତେଆଧାରମୁଁକରି
ହାସଲ କରିଛି ସ୍ଵାର୍ଥ,
ମୁଁ ଛାର କୀଚକ ରାଜଗାଦୀ ଭୋଗେ
ତୋ ବାହୁବଳେ ବିରାଟ।
ଢୋଲପରି କେବେ ପାହାରଖାଉରେ
ମୁଁ ଖାଇ ଯାଏ ପଇସା,
ବୁଡିଯାଉଥିଲା ବେଳ କୁଟାଖିଅ
ତୁହି ମୋ ଆଶା ଭରଷା।
ଫୁଲ ଡାକେ ନାହିଁ ଭ୍ରମରକୁ କେବେ
ଛାଏଁ ଛାଏଁ ଆସିଥାଏ,
ତୋର ଆକର୍ଷଣ ମୋତେ ବାଧ୍ଯକରି
ତୋ ପାଖକୁ ଟାଣି ନିଏ।
ମେଘ ଶ୍ରାବଣର ସମ୍ପର୍କ ପରାଏ
ତୋର ମୋର ଥିବ ଭାବ,
ଲେଖନୀକୁ ଛାଡ଼ି ଲେଖକଟି କିବା
ସହଜେ ବଞ୍ଚି ପାରିବ ।
ତୁହି ମୋର ବୁଦ୍ଧି ତୁହି ମୋର ଜ୍ଞାନ
ତୁହି ମୋ ଓଁକାର ପଦ,
ତୋର ଦୟାବଳେ ହୃଦୟକୁ ମୋର
ଛୁଇଁ କି ପାରେ ବିଷାଦ ।
ତୁହି ଆତ୍ମା ହେଲେ ମୁହଁ ମୁଢ ଜୀବ
ହେବିନିରେ ତୋ ସରି,
ତୋର କୃପାହେଲେ ନିଶ୍ଚୟ ହୋଇବି
ଏ ଭବ ସାଗର ପାରି।
ଅଜ୍ଞାନ ଅନ୍ଧାର ଦୂରେଇ ଦେଉରେ
ତୁ ପରା ଜ୍ଞାନ ଆଲୋକ,
ମୋସଂସାର ତୁଚ୍ଛ ହୋଇପାରେ ପଛେ
ତୁ ମୋ ଆପଣା ଲୋକ।
ମୋ ଭଙ୍ଗା ମନକୁ ସ୍ନେହର ଅଠାରେ
ତୁହି ଏକା ଯୋଡିପାରୁ,
ମନ ନୀଳାଚଳେ ତୁହି ଜଗନ୍ନାଥ
ମହିମା ଅଚଳ ମେରୁ।
ହେ ମୋର ସଖା ପରମ ପୁରୁଷ
କୁହ ଆଉ ଥରେ ଗୀତା,
ମୁଁ ଅଜ୍ଞ ଅର୍ଜ୍ଜୁନ ଗାଣ୍ଡିବକୁ ଛାଡ଼ି
ଲେଖିବି ପଦେ କବିତା ।