ଲେଖା ଝରିଯାଏ
ଲେଖା ଝରିଯାଏ


ଅଧର ଯେବେ ନୀରବି ଯାଏ
ନୀରଧର ଯେବେ ତନୁ ଭିଜାଏ
ସପନ ଯେବେ ହୃଦ ଜଳାଏ
ତପନ ଯେବେ ଧରା ଜଳାଏ
ଶବ୍ଦ ଧୀରେ ଧୀରେ ଅଥୟ ହୁଏ
କଲମ ମୁନର ଆଶ୍ରୟ ନିଏ।।
ଦିଗନ୍ତ ଯେବେ ମେଦିନି ଛୁଏଁ
ମଧୁକର ଯେବେ ପ୍ରସୂନ ଛୁଏଁ
ଇନ୍ଦ୍ରଧନୁ ଯେବେ ଗଗନେ ଉଏଁ
ଭାନୁ ଯେବେ ସନ୍ଧ୍ୟା କୋଳରେ ଶୁଏ
କବିତା କଲ୍ଲୋଳ ଅଧିର ହୁଏ
ତୃଷିତ ପ୍ରାଣ ମୋ ବିଭୋର ହୁଏ।।
ସ୍ରୋତସ୍ୱିନୀ ଯେବେ ସାଗରେ ମିଶେ
ରାତ୍ରି ଶେଷେ ଯେବେ ଶେଫାଳି ବାସେ
ଶଶୀ ମୁଖ ଚାହିଁ କୁମୁଦ ହସେ
ଲାଜକୁଳୀ ଲୁଚେ ହସ୍ତ ପରଶେ
ହୃଦ ଭରିଯାଏ ପ୍ରେମର ରସେ
ଗୀତ ଝରିଆସେ ମହା ଉଲ୍ଲାସେ।।
ବାତାୟନେ ଯେବେ ଓହ୍ଲାଏ ଚାନ୍ଦ
ଲାଜେ ହସି ଯେବେ ଅନାଏ ଚାନ୍ଦ
ଭାସିଆସେ ଦୂରୁ ପୁଷ୍ପ ସୁଗନ୍ଧ
ପ୍ରଭାତୀ ଆକାଶେ ହସେ କଳିନ୍ଦ
ହୃଦେ ଭରିଯାଏ ଅତି ଆନନ୍ଦ
ସ୍ୟାହି ଝରିଯାଏ ହୋଇ ସାନନ୍ଦ।।
ବିହଙ୍ଗମ ଯେବେ
ନିଡ଼କୁ ଫେରେ
ପଦ୍ମପତ୍ରେ ଯେବେ ଜୀବନ ଦୋଳେ
ଶିତିକଣ୍ଠ ଯେବେ ନାଚେ ମେଘରେ
ନିଦ୍ରା ଭାଜେ ଯେବେ ଅଧା ରାତ୍ରିରେ
ଶବ୍ଦ ସନ୍ଧି କରେ ଭାବ ସାଥିରେ
କଲମ ମୁନରୁ ପୀୟୂଷ ଝରେ।।
ଆପଣାର ଯେବେ ହୃଦୟ ଭାଙ୍ଗେ
ସମ୍ପର୍କରେ ଯେବେ ଅନଳ ଲାଗେ
ସଂସାରଟା ଯେବେ ଜଞ୍ଜାଳ ଲାଗେ
ହୃଦୟ ମଉଳେ ବିଷାଦ ରଙ୍ଗେ
କଲମ ବିଚରେ କାଗଜ ଅଙ୍ଗେ
କବିତା ଝଲସେ ଜୀବନ ରଙ୍ଗେ।।
ପ୍ରେମ କେବେ ଦିଏ ନବ ପ୍ରେରଣା
ଭଙ୍ଗାମନ କେବେ ହୁଏ ଆଇନା
କ୍ଳାନ୍ତ ହୁଏ ଚିତ୍ତ ପାଇ ପ୍ରତାରଣା
ଯେତେ ବୁଝେଇଲେ ମନ ମାନେନା
ଖୋଲିଯାଏ ନବ ଆଶା ଖଜାନା
କଲମକୁ ମିଳେ ଶୁଦ୍ଧ ପ୍ରେରଣା।।
ସାହିତ୍ୟ କଅଁଳେ ଜୀବନ ଡାଳେ
ପ୍ରତିଟି ଘଟଣା ପୌଷ୍ଟିକ ବଳେ
ପ୍ରତି ମଣିଷଠୁ ପ୍ରେରଣା ମିଳେ
ଜୀବନ ଉତ୍ସବ ସମ ଉଛୁଳେ
ସୁଖ ଦୁଃଖ ସବୁ କାଗଜେ ଖେଳେ
ଶବ୍ଦର ତାରକା ଉଜ୍ଜ୍ୱଳେ ଜଳେ।।