ଲାଜେଇ ଜହ୍ନ
ଲାଜେଇ ଜହ୍ନ
ମୁଠା ମୁଠା ମିଠା ଜୋଛନା ଖେଳେଇ
ଚାନ୍ଦ ଚାହୁଁଛି କି ବଉଦ ଆଡେ଼ଇ
ଦେଖି ଅପରୂପ ଶିରୀ ଅନୁପମ
ଜହ୍ନ ଯାଉଛି ଗୋ ଲାଜେଇ ଲାଜେଇ ।
ଛାତ ଉପରେ ବସିଛ ଏକା ଏକା
କେଉଁ ଶିଳ୍ପୀର ଚିତ୍ରିତ ଚିତ୍ରଲେଖା
ମାନମୟୀ ତୁମେ ବସିଛ ମଉନେ
ଆକାଶ ଜହ୍ନକୁ ଅନେଇ ଅନେଇ ।
କୁନି କୁନି ତାରା ଘେରା ଏ ଆକାଶ
ଝଲମଲ ଜ୍ୟୋତି ଝଲକ ପ୍ରକାଶ
ଭାସା ବାଦଲ କି ପୁଳା ପୁଳା ତୁଳା
ସାରା ଆକାଶେ କେ ଦେଇଛି ଉଡ଼େଇ ।
ତୁମ ଓଢଣୀ ହୋଇ ଥାଆନ୍ତି ଯଦି
ରହି ଥାନ୍ତି ତୁମ ଅଙ୍ଗେ ଅଙ୍ଗେ ଲାଗି
ଦେଖ ପବନ ବି ବଡ଼ ଅମାନିଆଁ
ଖୋଲା ପଣତକୁ ନେଉଛି ଉଡ଼େଇ ।
ତୁମ ଓଠର ସେ ଛୋଟ କଳା-ଜାଇ
କେବେ ଅଧରକୁ ଯାଏ ଛୁଇଁ ଛୁଇଁ
ତୁମେ କୁହ ବା ନକୁହ ସେ ଜାଣିଛି
ଯିଏ ଦେଇଛି ଗୋ କିମିଆଁ ଲଗେଇ ।
ନିଆଁଲଗା ଅଧା-ଚାନ୍ଦ ଏ ଜୋଛନା
ଅଙ୍ଗେ ଅନଙ୍ଗ ତରଙ୍ଗ ମୂରୁଛନା
ଶଶି କିରଣ ଶୀତଳ ସାଦା ସାଦା
ନିଶା ମହୁଲିଆ ଦେବ ଗୋ ଲଗେଇ ।
ତୁମେ ଚାହୁଁଛ ଜହ୍ନକୁ ଯେବେ ଯେବେ
ଲାଗେ ଫିକା ଫିକା ତା ଜୋଛନା ତେବେ
ଦେଖି ତୁମ ଚାରୁ ରୂପ ରଙ୍ଗ ଛଟା
ଜହ୍ନ ଯାଉଛି ଗୋ ଲାଜେଇ ଲାଜେଇ ।