କୁନି କାଉଡ଼ିଆ
କୁନି କାଉଡ଼ିଆ
ବାପା ନାହିଁ ମୋର ରୋଗୀଣା ମାଆର
ଆରୋଗ୍ୟ କାମନା ପାଇଁ
ଯାଉଛି ଏଥର ନେଇ ପାଣି ଭାର
କୁନି କାଉଡ଼ିଆ ହୋଇ ।
ଗେରୁଆ ବସନ ଦେହରେ ମୋହର
କାନ୍ଧେ ପରା କୁନି ଭାର
କୁନି କୁନି ପାଦେ କାଉଡ଼ିଙ୍କ ସାଥେ
ଚାଲେ ଡାକି ମହେଶ୍ଵର ।
ସଂସାରେ ଯାହାର ନଥାଏ କେହିରେ
ତାହାର ସାହା ଦଇବ
ଅରକ୍ଷିତ ମୁହିଁ ମାନସିକ ମୋର
ପୂରଣ କରିବେ ଶିବ |
ଶ୍ରାବଣର ବାରି ପଡ଼େ ପଥେ ଝରି
ମାରେ ପୁଣି ଘଡ଼ଘଡ଼ି
ଲକ୍ଷ୍ୟରୁ କଦାପି ବିଚ୍ୟୁତ ନହୋଇ
ଚାଲେ ମୁଁ ଆଗକୁ ମାଡ଼ି ।
ଗରଭ ଯନ୍ତ୍ରଣା ସହି ଯେଉଁ ମାଆ
ଦୁନିଆକୁ ଆଣିଥାଏ
ସେହି ମାଆ ସୁସ୍ଥ ହେବା ପାଇଁ ଏହି
ପଥବାଧା କିଛି ନୁହେଁ ।
ପରିଶ୍ରମ କେବେ ହୁଏ ନାହିଁ ବୃଥା
କର୍ମ ଘେନି ମିଳେ ଫଳ
କଷ୍ଟ କଲେ ପରା ମିଳିଥା'ନ୍ତି କୃଷ୍ଣ
ହୁଏନି କେବେ ନିଷ୍ଫଳ ।
ମାରିଲେ ମାରିବେ ପ୍ରଭୁ ମହାଦେବ
ତାରିଲେ ତାରିବେ ସିଏ
ତାଙ୍କ କରୁଣାରେ ମଲା ଗଛେ ପୁଣି
ପତର କଅଁଳି ଯାଏ ।
ଜଟାରୁ ତାଙ୍କର ବହେ ଗଙ୍ଗାଧାର
ଶିରେ ଚନ୍ଦ୍ର ପାଏ ଶୋଭା
ବାଘଛାଲ ପିନ୍ଧି ଧରି ସେ ତ୍ରିଶୁଳ
ଦିଶିଥା'ନ୍ତି ମନଲୋଭା ।
ଖାଲି ହାତେ ଯିଏ ଭେଟେ ଶଙ୍କରଙ୍କୁ
ଫେରେ ନିଶ୍ଚେ ପାଇ ବର
ଜଳ ଢାଳି ମୁହିଁ ଜଣାଇବି ଦୁଃଖ
ମୋ ଦୁଃଖ ଶୁଣିବେ ହର ।
