କୁମନ୍ତ୍ରଣା
କୁମନ୍ତ୍ରଣା
କୁମନ୍ତ୍ରଣାର ବଶବର୍ତ୍ତୀ କିଏ
କେବେ ହେଲେ ହୁଅ ନାହିଁ
ନିମିଷକେ ମଧ୍ୟେ ସୁନାର ସଂସାର
ଭାଙ୍ଗି ଯାଇଥାଏ ତହିଁ ।
ସୁଖର ଜୀବନ ଜାଳି ଦିଏ ସିଏ
ଆଖିରେ ଭରଇ ଲୁହ
ଯନ୍ତ୍ରଣା ନିଆଁରେ ଏମିତି ଦହଇ
ଲିଭେନା ଛାତିର କୋହ ।
ଅଶାନ୍ତିର ବହ୍ନି ଜାଳି ଦେଇଥାଏ
ଶାନ୍ତି ସେ ହଜେଇ ଦିଏ
ଜୀବନ ଯନ୍ତ୍ରଣା ଅଶାନ୍ତ ଝଡରେ
ବଞ୍ଚିବାଟା ସାର ଥାଏ ।
ଏଇ କୁମନ୍ତ୍ରଣାର ବଶବର୍ତ୍ତୀ ହେଇ
କୈକେୟୀ ବର ମାଗିଲେ
ପ୍ରିୟ ପୁତ୍ର ରାମଚନ୍ଦ୍ରଙ୍କୁ ତାଙ୍କର
ବନବାସ ପଠାଇଲେ ।
ମନ୍ଥରାର କୁମନ୍ତ୍ରଣାରେ କୈକେୟୀ
ଜଗତେ ନିନ୍ଦିତ ହେଲେ
ଧିକାର ବହୁତ ଭରତ କରିଲେ
ମାଆ ଡାକ ବନ୍ଦ କଲେ ।
ଶକୁନିର କୁମନ୍ତ୍ରଣାରେ କୌରବ
ପରିଚାଳିତ ସେ ହେଲେ
ଶେଷରେ ପରାସ୍ତ ହୋଇ ରାଜ୍ୟ ଧନ
ନିଜ ବଂଶ ବୁଡାଇଲେ ।
ଏ କଳି ଯୁଗରେ ପ୍ରତ୍ୟେକ ସ୍ତରରେ
କୁମନ୍ତ୍ରଣା ଚାଲିଅଛି
ରାଜନୀତି ଦେଖ ସଂସାର ପରଖ
କୁମନ୍ତ୍ରଣା ଭରି ଅଛି ।
କେତେ ପରିବାର ଭାଙ୍ଗି ଦେଉଛନ୍ତି
ଏଇ କୁମନ୍ତ୍ରଣା କରି
ସୁଖୀ ପରିବାରେ ଲୁହ ଭରି ଯାଏ
କୁମନ୍ତ୍ରଣା ଥାଏ ପୁରି ।
ଏମିତି ଘଟଣା ଚାଲି ଥିଲା ଦିନେ
ସୁମିତ୍ରାର ଶାଶୁଘରେ
ଭଲ ଝିଅ ଟାକୁ ଖରାପ କରିଲେ
ବାପା ମା କୁମନ୍ତ୍ରଣାରେ ।
ଭିନ୍ନେ ହେଇ ଯିବା ପାଇଁ ବାଧ୍ୟ କଲେ
ଶାଶୁ ଶଶୁରଙ୍କ ଠାରୁ
ବାପା ମାଆ ଭାଇ ଭଉଣୀକୁ ସିଏ
ପଚାରିଲାନି ଜମାରୁ ।
ଜ୍ବାଇଁର ଟଙ୍କାରେ ଶାଶୁଘର ଲୋକେ
ହୋଇଗଲେ ମାଲ ମାଲ
ଜନ୍ମ ଦେଇ ପିତା ମାତା ପରିବାର
ଓପାସରେ କଲବଲ ।
ଆସିଲା ସମୟ ଜ୍ବାଇଁର ଶରୀର
ଅସୁସ୍ଥ ହୋଇଲା ଭାରି
ହାତରୁ ତାହାର ଚାଲିଗଲା ଯେଉଁ
ଖଣ୍ଡକ ଥିଲା ଚାକିରି ।
ମାତ୍ର ପାଞ୍ଚ ଦିନ ଭଲରେ ରଖିଲେ
ତା ପରେ କଲେ କଜିଆ
ଖାଇବା ପିଇବା ଦେଲେ ନାହିଁ ଭଲ
କରିଲେ ହୀନିମାନିଆ ।
ବାସି ଭାତ ସାଥେ ଆମ୍ବୁଲ ଫେଡାକୁ
ଜ୍ବାଇଁକୁ ଖାଇବା ଦେଲେ
ଶଶୁର ଘରରେ ଜ୍ବାଇଁ ତ କୁକୁର
ବାରମ୍ବାର ଉଚ୍ଚାରିଲେ ।
ବିଚାରି ଜ୍ବାଇଁଟି ସବୁ ସହୁ ଥିଲା
ନିଜେ ତ ଅର୍ଜିଛି ଏହା
କାହାକୁ କହିବ କିଏ ବା ଶୁଣିବ
ଭୋଗୁଛି କରିଛି ଯାହା ।
ଝିଅକୁ ତାହାର ବାର କଥା କହି
ଦେଉଥାନ୍ତି ଅପମାନ
ରାଣ୍ଡ ହେଇଥିଲେ ପୋଷି ଥାନ୍ତୁ ଧିକ
ଏମିତି ସ୍ବାମୀ ଜୀବନ ।
ପଙ୍ଗୁ ହେଇ ଆମ ଘରେ ପଡିଅଛି
ଲାଜ ନାହିଁ ତା ମୁହଁକୁ
ନିଜ ସମ୍ମାନକୁ ନିଜେ ହରେଉଛି
ଯାଉନି ବାପ ପାଖକୁ ।
ସହି ପାରିଲାନି ବିଚରା ମାଧବ
ଆତ୍ମହତ୍ୟା କରି ଦେଲା
ଜ୍ବାଇଁ ମରିଗଲା ପରେ ଝିଅ ବାପା
ସେଠୁ ବିଦା କରି ଦେଲା ।
ବିଚାରି ସୁମିତ୍ରା କି ଅବା କରିବ
ହେବ ସେ ଏବେ କାହାର
ଧନ ଥିଲା ବେଳେ ଶାଶୁ ଶଶୁରଙ୍କୁ
କରି ଦେଇ ଥିଲା ଦୂର ।
ବାପା ମାଆ କୁମନ୍ତ୍ରଣାର ବଳରେ
ଶାଶୁଘର ପର କଲା
ବାପା ମାଆ ଭାଇ ଭାଉଜଙ୍କୁ ତାର
ଧନୀ କରି ଦେଇଗଲା ।
ଆଖିର ଆଗରେ ଭାସି ଆସୁଥିଲା
ଅତୀତର ସେଇ ସ୍ମୃତି
ଏଇ କୁମନ୍ତ୍ରଣା ଭାଙ୍ଗିଲା ସଂସାର
ଜୀବନ କରିଲା ଇତି ।
ଘରୁ ବିଦା କରି ଦେଲେ ବାପା ମାଆ
ଭାଇ ଭାଉଜ ତାହାର
ଅନାଥାଶ୍ରମରେ ପ୍ରବେଶିଲା ଯାଇ
ବହି ଯାଏ ଲୁହ ଧାର ।
ଚାହିଁ ରହିଥାଏ ନୀଳ ଆକାଶକୁ
ଥୁଣ୍ଟା ବର ମୂଳେ ବସି
କୁମନ୍ତ୍ରଣେ ତା ଭଙ୍ଗିଲା ସଂସାର
ନିଜେ ଗଲା ଆଜି ଭାସି ।
ନା ବାପ ଘର ହୋଲା ତା ନିଜର
ନା ହେଲା ଶାଶୁଘର
ଯନ୍ତ୍ରଣା ଯୁଇର ନିଆଁରେ ଜଳିଲା
ଅର୍ହ ନିଶି ନିରନ୍ତର ।
ଏଇ କୁମନ୍ତ୍ରଣା ଏମିତି ଗୋଟିଏ
ସୁଖରେ ସାଥି ହୁଏନି
କାହାର ଖୁସିକୂ ଜୀବନରେ ସିଏ
କେବେ ବି ସହି ପାରେନି ।
ଭାବିଲା ବେଳକୁ ସବୁ ସରିଥାଏ
ଆଖିରେ ଥାଏ ତା ଲୂହ
ଜଳି ଜଳି ସିଏ ନିତି ବଞ୍ଚୁଥାଏ
ଛାତିରେ ଚାପି ତା କୋହ ।