STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

କୁମ୍ଭୀର ଚାଷ

କୁମ୍ଭୀର ଚାଷ

1 min
143


ହେ ସରକାର କୁମ୍ଭୀର ପାଳ

  ତୁମରି ଘରେ ନେଇ,

ଘର ଆମରି ଉଜାଡ଼ି ଦେଇ

  କି ଲାଭ ପାଅ ଭାଇ?

ନ‌ଈ କୂଳିଆ ତୁମରି ଗାଆଁ

  ଯଦି ବା‌ ହୋଇଥାଆନ୍ତା,

କୁମ୍ଭୀର ଭୟ ଜାଣିପାରନ୍ତ

   ନିଦ ତ ହଜିଯା'ନ୍ତା।

କିମ୍ବା ତୁମର କାହାକୁ ଯଦି

   କୁମ୍ଭୀର ଖାଇଥାନ୍ତା,

ତେବେ ଜାଣନ୍ତ ଯନ୍ତ୍ରଣା ସ୍ଵାଦ

   କେମିତି ଲାଗୁଥାଆନ୍ତା‌।

ତୁମ ଗାଧୁଆ ଘରରେ‌ ଯଦି

   କୁମ୍ଭୀର ପଶିଯାଆନ୍ତା‌,

ଭଲ କି ଜାଣି ପାରନ୍ତ ବାବୁ

   କିଭଳି ଭୟଶଙ୍କା?

ଏସି‌ ଭବନେ ବାବୁ ଆନନ୍ଦେ

   ନିଘୋଡ଼ ନିଦେ ଶୁଅ‌,

କୁମ୍ଭୀର ପୋଷ ଆମ ବ‌ଅଁଶ

   କୁମ୍ଭୀର ମୁଖେ ଦିଅ।

ନ‌ଈରେ ଯଦି ରହିଛି ଦାବି

    ସମସ୍ତ ଜୀବଙ୍କର,

ମଣିଷର ବି ରହିଛି ସେଠି

    ସମାନ ଅଧିକାର।

ଛାଡ ଏଥର ଲାଗୁ ସମର

    ମଣିଷ କୁମ୍ଭୀରର,

ଦେଖିବା କେତେ ଅଟେ ଚତୁର

   ଏ ସରୀସୃପ ଛାର‌।

କୁମ୍ଭୀର ମାରି ମଣିଷ ଖାଉ

   ତୁମ ମନକୁ ପାଉ,

ଆମେ ଯଦିବା କୁମ୍ଭୀର ମାରୁ

   ଆଇନ୍ ଦଣ୍ଡ ହେଉ।

ବନ୍ୟ ଜନ୍ତୁଙ୍କ ସୁରକ୍ଷା ନ୍ୟାୟ

   ଯଦିବା ଲାଗୁ କଲ‌,

ସେଭଳି ନ‌ଈ ଗାଧୁଆ ତୁଠେ

   ଜେଠି‌ କାହିଁ ନ କଲ?

କୁମ୍ଭୀର ମଲେ ଆଇନ ଘାଣ୍ଟେ

    କିଏ ମାଇଲା ତାକୁ,

କୁମ୍ଭୀର ମୁହେଁ ମଣିଷ ମଲେ‌

   କେବଳ ଆହାଃ ଚୁ‌ ଚୁ।

ମନରେ ତୁମ ପଶୁ ନାହିଁ କି

   ହେ ପ୍ରିୟ ବଡ଼ବାବୁ,

ମଣିଷ ମରା ଏହି ଜୀବକୁ

   କରୁନା କାହିଁ କାବୁ?

ନିତି ଖବର ଜାଣୁନା‌ କ'ଣ

   ଏ ଦୁଇ ମାସ ମଧ୍ୟେ,

କେତେ ମଣିଷ ଛେଳି କି ଗୋରୁ

   ଗଲେ କୁମ୍ଭୀର ଗର୍ଭେ‌।

ଏପଟୁ‌ ନେଇ ସେ ପଟେ ଖାଏ

   ନିଜର ମଣିଷକୁ,

କହିହେଉନି ସେହି ହୃଦୟ

   ବିଦାର‌ ଦୃଶ୍ୟଟିକୁ‌।

ପ୍ରତ୍ୟେକ ନ‌ଈ କୁମ୍ଭୀର ପାଇଁ

   ହୋଇଛି ଚରାଭୂଇଁ,

ପ୍ରତ୍ୟେକ ଦିନ ମଣିଷ ମରେ

   କୁମ୍ଭୀର ମୁଖେ ଭାଇ।

ତୁମେ କ'ଣ କୁମ୍ଭୀର ଠାରୁ

   ବେଶୀ ନିଷ୍ଠୁର ହେଲ,

ନା, କୁମ୍ଭୀର ଠାରୁ ଲାଞ୍ଚ ନେଇକି

   ଆମକୁ ବଳି ଦେଲ‌?

ରାଗିବ ନାହିଁ ହେ‌ ପ୍ରିୟ ଭାଇ

   ଯାହା କହିଲି ମୁହିଁ,

ଯେହେତୁ କେନ୍ଦ୍ରାପଡ଼ା ମୋ ଘର

   ଦେହ ମୋ ସହୁ ନାହିଁ,

ରାତି ପାହିଲେ ମାଛ ମାରିକି‌

    ଚଳାଉଥିଲି‌ ଘର,

କୁମ୍ଭୀର ଡରେ ମୋ ନ‌ଈ ମାଆ

    ହୋଇଲା ସାତପର।

ତେଣୁ ସରକାର କର ବିଚାର

   ଆମକୁ ରକ୍ଷା କର,

ମୁଁ ଛାର‌ ଦୁଃଖୀ ଦୀନ ଅପର୍ତ୍ତି

   ମାଗୁଣି ଘେନା‌ କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy