କଉମାଛର ଝୋଳ
କଉମାଛର ଝୋଳ
କଉମାଛର ଝୋଳ ସେଦିନ
ଘରଣୀ କରିଥିଲା,
ସଜନା ଛୁଇଁ ବଢ଼ି ଦୋଓଟି
ସେଥିରେ ପକେଇଲା।
ପାଟିରୁ ମୋର ଗଡିଲା ଲାଳ
ମନ ଉଚ୍ଛନ୍ନ ହେଲା,
ଘର ଉଷୁନା ଚାଉଳ ଭାତ
ସ୍ତ୍ରୀ ମୋ ବାଢିଦେଲା।
ମାରିଲି ଗେଫା ଦି'ଚାରି ଗୁଣ୍ଡା
ଆତ୍ମା ମୋ ଯିବ ପୁରି,
ହେଲେ ପାଟିକୁ ସ୍ଵାଦ ଲାଗୁନି
ରାଗ ମୋ ଗଲା ଚଢି।
ଘରଣୀଠାରେ ସାଧିଲି ଦାଉ
ପାଟିଟା ମେଲେଇଲି,
ଘରଣୀ ହାତ ଝାଡୁଟା ଦେଖି
ନରମି କହିଦେଲି।
କହିବ ପ୍ରିୟେ ତୁମ ହାତର
ତର୍କାରୀ ଲାଗୁନାହିଁ,
ଘଟଣା କ'ଣ ବୁଝିହେଉନି
ମାଛର ସ୍ଵାଦ କାହିଁ?
ରଙ୍ଗ ଭାଉଜ ସେଦିନ କଉ
ଝୋଳ ତ ଦେଇଥିଲା,
ବଢ଼ିଆ ସ୍ଵାଦ ଲାଗୁଥିଲା ତ
ମୋ ମନ ମାନିଗଲା।
ଏ କଥା ଶୁଣି ଘରଣୀ ରାଣୀ
ଧଇଲା ଉଗ୍ର ରୂପ,
କହିଲା ଯାଅ ରଙ୍ଗକୁ ଧରି
କରିବ ତୁମେ ନାଟ।
ପର ମାଇପ ଠାରେ ନଜର
ତୁମର ପରା ଅଛି,
ଭାଗ୍ୟ ମନ୍ଦରୁ ତୁମ ଭଳି ମୁଁ
ଗେରସ୍ତ ପାଇଅଛି।
ମାଇକି ଭଳି ପାଟି କମ୍ପେଇ
ଲୋକ ଜମେଇ ଦେଲା,
ଭାବିଲି ଆଜି ତୁଳାରାଶି ମୋ
ଘାତ ଚନ୍ଦ୍ରଟି ଥିଲା।
ଏ କଉମାଛ ଭାଉ ଚାରିଶ
ହେଲେ ଲାଗୁନି ବାଗ,
ନାହିଁ ସେ ଆଗ ମାଛ ସୁଆଦ
ବଦଳିଗଲା ଯୁଗ।
ବିରିବଢିକି ସଜନା ଛୁଇଁ
ଲାଗୁନି ଆଗଭଳି,
କେଉଁଠି ତ୍ରୁଟି ରହିଲା ସଖୀ
ସେକଥା ଭାବୁଥିଲି।
କଉର ଦୋଷ କି ଛୁଇଁର ଦୋଷ
ନା,ବଢ଼ି ମସଲା ଦୋଷ,
ରୋଷେଇ ବାଲା ଦୋଷ କି ଏହା
ଖାଇଲା ବାଲା ଦୋଷ !
ହାଣ୍ଡି କଡ଼େଇ ଦୋଷ କି ମୋର
ନାଳୁଆ ଜିଭ ଦୋଷ,
ମୋ ରସିକିଆ ପଣର ଦୋଷ
ନା,ଚୋରା ପିରତୀ ଦୋଷ!
ସେ ଯା' ହେଉ ବୋଉ ରାନ୍ଧଣା
ଝୋଳ ସେ କଉମାଛ,
ଆହା କି ସ୍ଵାଦ ଲାଗୁ ଥିଲା ତ
ଆଜି କିନ୍ତୁ ଏ ବିଷ।
ହେଲା ଭେଜାଲ ମସଲା ତେଲ
ଭେଜାଲ ହାବଭାବ,
ଘରଣୀ ହାତ ହେଲା ଭେଜାଲ
ଟେଷ୍ଟ୍ କିବା ମିଳିବ?
ଆଗଭଳିଆ ସେ ମଚ୍ଛୁଦୁଆ
ଖାତ ବିଲରେ ନାହିଁ,
ପାଣି ଜମୁନି କଳାମାଛ ବି
ସେ ଭଳି ମରୁନାହିଁ।
ଶିଙ୍ଗୀ ମାଗୁର,ବୋଦଶୀ,ଫଳି
ଶେଉଳ,ଶାଳ,ତୋଡୀ,
ମିଳୁନି ଆଉ କଉ ଗଡିଶା
ମନଟା ହୁଏ ଝୁରି।
କେ ଯଦି ମାଛ କରୁଛି ଚାଷ
ଦାନା ପକଉ ଅଛି,
ସେ ବ୍ରୟଲର କଲର ବାର୍ଡ
ପରିକା ଲାଗୁଅଛି।
ବିରି, ମୁଗର ନାହିଁ ଫ୍ଲେବର
ମସଲା ଖାଣ୍ଟି ନାହିଁ,
ତର୍କାରୀ ଭଲ ଲାଗୁନି ବୋଧେ
ଖାସ୍ ସେଇଥିପାଇଁ।
ଏ କଥା ଶୁଣି କହେ ଘରଣୀ
ମାଛ କାଟିବା ବେଳେ,
ଆମ ସାହିର ଶୁକୁଟା ମାଆ
ମୋ ପାଖେ ବସିଥିଲେ।
ଲୋକେ କହନ୍ତି ଶୁକୁଟା ମାଆ
ଯହିଁ ନଜର ଦିଏ,
ଖାଦ୍ୟରୁ ସାର କାଢି ନିଏ ତ
ସେଥିରେ ଭେଦିଥାଏ ।
ମଣ୍ଡା ଗଇଁଠା ଆରିସା ପିଠା
ଆଣ ସେ ଧରିଦିଏ,
ଯେତେ ଯତନେ ପ୍ରସ୍ତୁତ କଲେ
ପିଠା କି ଶିଝି ଥାଏ?
ତର୍କାରୀ ଶାଗ ବଢ଼ି କି ମୁଗ
ତାକୁ ଦେଖାନ୍ତି ନାହିଁ,
ତେଣୁ ସେ ଦେଖି ଥିବା ତର୍କାରୀ
ସ୍ଵାଦ ଲାଗିବ କାହିଁ?
ଲୋକେ କେମିତି ଖାଦ୍ୟେ ଭେଦନ୍ତି
ସେ କଥା ଭାବୁଥିଲି,
ଏ ସବୁ କ'ଣ ଅନ୍ଧ ବିଶ୍ବାସ
ମନେ ସନ୍ଦେହ କଲି।
ଆଘ୍ରାଣେ କାଳେ ଅର୍ଦ୍ଧ ଭୋଜନ
ଲୋକପ୍ରଥାଟି ଇଏ,
ଏହି କଥାରେ ମନ ମୋହର
କେବେ ବୁଝୁ ନ ଥାଏ।
