କୁହୁଡ଼ି ଘେରା ସ୍ଵପ୍ନ
କୁହୁଡ଼ି ଘେରା ସ୍ଵପ୍ନ
କିଛି ଈର୍ଷା ଯେବେ ଧୁଆଁ ହୋଇ ଉଡ଼ି
ଅବରୋଧ କରି ବସନ୍ତି ଗନ୍ତବ୍ୟ ପଥକୁ,
କିଛି ପ୍ରେରଣା ବାଟ କଢାଇ ନିଅନ୍ତି
ହାତ ଧରି ନେଇ ପୁଣି ଆଗକୁ ଆଗକୁ।
ସବୁଥର ପରି କୁହୁଡି ମାଡ଼ିବସେ ସିନା
ପାଦ ଯୋଡ଼ିକ ଛଳନାରେ ଫାଶରେ ପକାଇ,
କେବେ ନିୟତିର ନିର୍ଦ୍ଦେଶ ଆଳରେ
କେବେ ବିଧାତାର ପରୀକ୍ଷା ଦର୍ଶାଇ।
ସମାପ୍ତିଟିଏ ବି ଏତେ ସହଜେ ଆସେନା
ତୁମ ସ୍ୱକଳ୍ପିତ ପୂର୍ଣ୍ଣଚ୍ଛେଦ ଯଥେଷ୍ଟ ପୂର୍ବରୁ
ଦିଗନ୍ତର କିଛି ସୀମାରେଖା ନଥାଏ
ସେ ଏକ ଆକର୍ଷଣଟିଏ ସୃଷ୍ଟ ସମ୍ମୋହନରୁ।
ବେଶୀ ନୁହେଁ ସେଇ ସ୍ଵପ୍ନରୁ ମୁଠାଏ
ସାଇତିଛି ସ୍ୱଳ୍ପ ଜୀବନ କାଳରେ,
ଆୟୁଷର ବାଲି ସରି ସରି ଯାଏ ସିନା
କେବେ ଭଗ୍ନାଂଶଟେ ମିଳଇ ରାସ୍ତାରେ।
ସେଇ ସ୍ଵପ୍ନ ହିଁ ତ ସାଜିଥାଏ ପୁଞ୍ଜି
ଜୀଇଁବାର ଆକାଂକ୍ଷାଟେ ହୋଇ,
କିଛି ବି ହାତରେ ଆସୁ କି ନ ଆସୁ
ପାଦ କେବେ କିନ୍ତୁ ଅଟକି ଯାଏ ନାହିଁ।
ଘେରୁ ପଛେ କୁହୁଡ଼ିର ଦୂର୍ଭେଦ୍ୟ ପ୍ରାଚୀର
ମୁଠେ ସ୍ଵପ୍ନ ଲାଖିଥାଉ ଆଖି ପଲକରେ,
ଜୀବନ ପାଲଟୁ ଏକ ସଫଳ ଯାତ୍ରାଟେ
ମିଳୁ କି ନମିଳୁ କେବେ ଶେଷ ପୃଷ୍ଠା ପରେ।
ଅଙ୍ଗାର ଖଣ୍ଡେ ବି ଚମକେ ହୀରା ଖଣ୍ଡ ସମ
ସେଇ ସ୍ଵପ୍ନର ପାରଦେ ଯେବେ ନିମଜ୍ଜିତ ହୁଏ,
ସ୍ଵପ୍ନ ବିନା ନିରର୍ଥକ ସତେ ଏ ଯାତ୍ରା ଜୀବନର
ଅଚିରେ ଇପ୍ସିତ ଲକ୍ଷ ପରିଶେଷେ ନିଶ୍ଚେ ପୂର୍ଣ୍ଣ ହୁଏ।