ଦେଖିବା ଆସ
ଦେଖିବା ଆସ
ଦେଖିବା ଆସ ଟିକି ଚଢ଼େଇ
ଟିକି ଡେଣାଟି ଝାଡ଼ି
ନୀଳ ଆକାଶେ ସୁଦୂର ଦେଶେ
ଯାଉଛି କେହ୍ନେ ଉଡ଼ି |
ସକାଳୁ ଯାଏ ସଂଜକୁ ଆସେ
ଆନନ୍ଦେ ଚରିବୁଲି
କେମିତି ପାଏ ନିଜର ନୀଡ଼
ଯାଏନା ବାଟ ଭୁଲି |
ଦେଖିଛ ପିଲେ ଜୁଳୁଜୁଳିଆ
ଗଛରେ ବୁଦା ପରେ
ମିଞ୍ଜି ମିଞ୍ଜିକା ଆଲୁଅ ଦିଏ
ଚାନ୍ଦରେ ବାଦ କରେ |
ଦେଖିଛ କେବେ ପୁନେଇ ଜହ୍ନ
ଶୋଭିତ ନୀଳାମ୍ବରେ
ସାଗରେ ଉଠେ ନୀଳ ଲହରୀ
ଗରଜେ ଘୁ ଘୁ ସ୍ୱରେ |
ଟିକି ପିମ୍ପୁଡି ବାନ୍ଧିକି ଧାଡ଼ି
ଚାଳନ୍ତି ବସୁଧାରେ
ଏଡ଼େ ଶୃଙ୍ଖଳା ଏଡ଼େ ଏକତା
ଦେଖା ନାହିଁ କା ଠାରେ |
ଖାଦ୍ୟକୁ ବୋହି ଗାତରେ ନେଇ
ସାଇତି ଯତନରେ
ବରଷା ଦିନେ ବସି ଖାଆନ୍ତି
ଦେଖିଛ ସ୍ୱନେତ୍ରରେ |
ମହୁମାଛିଟି ଫୁଲରୁ ଫୁଲ
ଗୁଞ୍ଜରି ଉଡୁଥାଏ
ଫୁଲରୁ ରସ ଶୁଣ୍ଢରେ ଶୋଷି
ମହୁ ସେ କରିଥାଏ |
ପର୍ବତୁ ଝରି ଟିକି ଝରଣା
ତଟିନୀ ରୂପ ଧରେ
ଟିକି ପ୍ରଦୀପ ଘନ ଅନ୍ଧାରେ
ଆଲୋକ ଦାନ କରେ |
ଟିକି ଭିତରେ ଦେଖିବ ଥାଏ
ବଡ଼ର ସମ୍ଭାବନା
ସାନ ବୋଲି କି ହୋଇବନାହିଁ
କେବେ ବି କ୍ଷୁଦ୍ରମନା |
