ଜୀବନର ମନ୍ତ୍ର
ଜୀବନର ମନ୍ତ୍ର
ଦୟା କ୍ଷମା ଭାବ ଯେଉଁଠାରୁ ଆସୁ
ଆସୁ ପଛେ ଯେଉଁ ରୂପରେ
ହୃଦୟ ମଧ୍ୟରେ ହୋଇ ଅଙ୍କୁରିତ
ବଡ ହୁଏ ହୃଦୟରେେ ।।
ସେହି ଦୟା କ୍ଷମା ହୃଦୟେ ବହିବା
ହେବା କ୍ଷମା ଦୟା ବନ୍ତ
ଅପମାନ ଭୁଲି କ୍ଷମା କରିଦେବା
ହିଂସା ଇର୍ଷା କରି ଅନ୍ତ ।।
ସହିବା ଶକତି ଯା'ର ଯେତେ ବେଶି
ତା' ମନ ସେତିକି ବଡ
ଆସୁ ଯେତେ ବଡ ବିପଦ ଆପଦ
ହୁଏନି ସେ ହଡବଡ ।।
ପ୍ରଶାନ୍ତ ସରଳ ସଂକଳ୍ପେ ଅଟଳ
ଅଚଳ ଯାହାର ମନ
ମନରେ ବିଶ୍ବାସ ନିଜପରେ ଯା'ର
ଲଭେ ସଫଳତାମାନ ।।
ସୁନ୍ଦର ଯେତିକି ବନ୍ଧୂର ସେତିକି
ଜୀବନର ଚଲାପଥ
ଚାଲିବା ସେ ପଥେ ନ ପଡିବା ଥକି
ଦୃଢ କରି ମନୋରଥ ।।
ଗତକାଲିର ସେ ଖରାପ ଦିନଟା
ଗତହୋଇ ରହିଯାଉ
ବର୍ତ୍ତମାନର ଏ ସୁନ୍ଦର ଦିନକୁ
ଖରାପ କରୁ ନଥାଉ ।।
ଗତକାଲିର ସେ ଦୁଃଖଦ ଘଟଣା
ଭୁଲିଯିବା ଦୃଢ ମନେ
ତା ସ୍ଥାନେ ଆଙ୍କିବା ସୁଖ ଚିତ୍ରପଟ୍ଟ
ଆଜିର ଶୁଭ ଲଗନେ ।।
ସମୟ ସ୍ରୋତରେ କାଲିର ଦୁଃଖଦ
ଅନୁଭୂତି ଭାସିଯାଉ
ମନରେ ଆଜିର ସୁନେଲି ସପନ
ଆଶାର ସଂଚାର ହେଉ ।।
ଜିରାରୁ ସିରାକୁ କାଢିବା ଅଟଇ
ଅନ୍ୟ ଜନଙ୍କ ସ୍ବଭାବ
ପର କଥା ଭାବି ଆଣିବନି କେବେ
ମନେ ନିରୁତ୍ସାହ ଭାବ ।।
ଯେଉଁ କାର୍ଯ୍ୟ ତୁମ ମନେ ଆତ୍ମ ଶକ୍ତି
ଭରିଦେଉଅଛି ଆଜି
ଯିଏ ଯାହା ପଛେ କହୁ ଅବା ଭାବୁ
କର ସେହି କାର୍ଯ୍ୟରାଜି ।।
ଯେତେ ବଡ ହେଉ ସମସ୍ୟା ତୁମର
ହୁଅ ତୁମେ ଧୈର୍ଯ୍ୟବାନ
ସମୟ ହାତରେ ଛାଡିଦିଅ ତାକୁ
କରିବ ସେ ସମାଧାନ ।।
ସମୟ ଅଟଇ ବଡ ବଳବାନ
ତା ହାତରେ ଛାଡିଦିଅ
ସ୍ଥିତପ୍ରଜ୍ଞ ଭାବେ ନିଜ କାର୍ଯ୍ୟ କର
ସମୟାନୁବର୍ତ୍ତୀ ହୁଅ ।।
ପରର ସହିତ ତୁଳନା କରିବା
ଏବେଠାରୁ ଛାଡିଦିଅ
ଗତକାଲି ତୁମେ କେଉଁ ବ୍ୟକ୍ତି ଥିଲ
ଆଜି କେଉଁ ବ୍ୟକ୍ତି କୁହ?
ଗତ କାଲିର ସେ ଖରାପ ବ୍ୟକ୍ତିକୁ
ଆଜି ପରାଜିତ କର
ଉତ୍ତମ ବ୍ୟକ୍ତିଟେ ତୁମରି ଶରୀରେ
ଆଜି ବିରାଜିତ କର ।।
ଶାନ୍ତ ରଖ ତୁମ ହୃଦୟ ମନକୁ
ହୁଅ ନାହିଁ ବିଚଳିତ
ସତ୍ ପଥେ ରହି ସତ୍ କର୍ମ କର
ସତ୍ ଚିନ୍ତା ଅବିରତ ।।
ତୁମରି ଜୀବନେ ସୁଖ ଶାନ୍ତି ଆଣି
ଅନ୍ୟ କେହି ଦେବ ନାହିଁ
ତୁମ ସୁଖ ଅବା ଦୁଃଖର କରତା
ତୁମେ ନିଜେ ଅଟ ଭାଇ ।।
ତୁମ ପାଇଁ ସୁଖ ଶାନ୍ତି ଆଣିଦେଲା
ବୋଲି ଯଦି କହେ କେହି
ଭଲଭାବେ ବୁଝ ସ୍ବାର୍ଥ ସିଦ୍ଧି ଲାଗି
ଦେଉଛି ସିଏ ଭଣ୍ଡେଇ ।।
ତୁମର ହାତରେ ତୁମ ସୁଖ ଶାନ୍ତି
ଯତନେ ରଖ ସାଇତି
ଅନ୍ୟ କେହି ଯେହ୍ନେ ଚୋରାଇ ନ ନିଏ
ଦୃଷ୍ଟି ଦିଅ ସେଥିପ୍ରତି ।।
ତୁମ ଜୀବନର ଅବଧି ଅଳିକ
ଯେପରି ପାଣି ଫୋଟକା
ଅଧରୁ ଝରାଅ ମମତାର ମଧୁ
ଆଙ୍କି ସ୍ହିତହାସ୍ୟରେଖା ।।
ସଂସାରରେ ତୁମେ ଅଛ ଯେତେ ଦିନ
ଆନନ୍ଦେ କାଟ ଜୀବନ
ମନଭରି ତାକୁ ଉପଭୋଗ କର
ଜୀଇଁଥିବ ଯେତେ ଦିନ ।।
