କୁହୁଡି
କୁହୁଡି


ଶୀତଋତୁ ରାତି ପାହାନ୍ତି ପ୍ରହରେ
କୁହୁଡି ଆସଇ ମାଡି,
ବାୟୁ ମଣ୍ଡଳକୁ ଆଚ୍ଛାଦିତ କରେ
ନଥାଏ ତାହାର ଆଦି |
ଦେଖାଯାଏ ନାହିଁ ପାହାଡ଼ ପର୍ବତ
ଗାଆଁ ଗଣ୍ଡା ରାସ୍ତା ଘାଟ,
ଲୁଚି ଯାଇଥାଏ କୁହୁଡି ଭିତରେ
ସୃଷ୍ଟି କରେ ମନେ ଭ୍ରାନ୍ତ |
ଜଳ ଅଣୁରେ ତ ଶରୀର ତାହାର
କୁହୁକର ମାୟା ଖେଳେ,
ସୂରୁଜ ଉଇଁଲେ କିରଣ ତାପ ରେ
ହଜିଯାଏ ବାୟୁ କୋଳେ |
ଧୁମ୍ର ବଳୟର ରୂପ ସୃଷ୍ଟିକରେ
ଅପୂର୍ବ ଶୋଭା ସମ୍ଭାର,
କର୍ମଜୀବି ମନେ ଅହେତୁକ ଭାବେ
କରଇ ଭୟ ସଞ୍ଚାର |
ଅଦିନ କୁହୁଡି ବେଳେ ବେଳେ ଆସେ
ବାୟୁର ଆର୍ଦ୍ରତା ପାଇଁ,
ପ୍ରକୃତି ର ଏକ ନିୟମ ତ ଏହା
ଦୃଶ୍ୟେ କୁହୁଡି ହୋଇ |
ସମୁଦ୍ର ଉପରେ କୁହୁଡିର ସ୍ଥିତି
ଦିଗନ୍ତ ବିସ୍ତାରି ଥାଏ,
ଆକାଶ ସମୁଦ୍ର ଜଣାପଡେ ନାହିଁ
ଏକାକାର ହୋଇଯାଏ |
ଦିଗବଳୟରୁ ସୂର୍ଯ୍ୟ ଯେବେ ଉଏଁ
ଚନ୍ଦ୍ରସମ ଦେଖାଯାଏ,
କୁହୁଡି ଗର୍ଭରେ ମଳିନ ସେ ଜ୍ୟୋତି
ଶେଷେ କୁହୁଡିକୁ ଖାଏ |
ଯାତାୟତ ପାଇଁ ଦେଖା ଯାଏନାହିଁ
ରାସ୍ତାଘାଟ ପରିଷ୍କାର,
ଏତିକି ସାନ୍ତ୍ୱନା ପାଦେ ପାଦେ ଗଲେ
ମନୁ ଭୀତି ହୁଏ ଦୂର |
କୁହୁଡି ପାଇଁ ଯେ ବେଳେ ବେଳେ ଘଟେ
ଭୟଙ୍କର ଦୁର୍ଘଟଣା,
ଯାନବାହାନ ର ଗତି ଧୀର ହୁଏ
ନହେବାକୁ ବାଟବଣା |
ଗଭୀର କୁହୁଡି ଜଳଭଣ୍ଡାରର
ମାୟା ସୃଷ୍ଟି କରିଥାଏ,
ପ୍ରହେଳିକା ମାତ୍ର ଅଳ୍ପ ସମୟର
ସ୍ୱାଭାବିକେ ଦୂର ହୁଏ |