କୁହ ଜାଣ ଯଦି କିଏ
କୁହ ଜାଣ ଯଦି କିଏ
ଫୁଲଠୁଁ କୋମଳ ସିଏ
ଫୁଲ ଠାରୁ ତା'ର ସୁବାସ ଅଧିକ
କୁହ ଜାଣ ଯଦି କିଏ ।
ଜହ୍ନଠୁଁ ଶୀତଳ ସିଏ
ଜହ୍ନ ଠାରୁ ତା'ର ଜୋଛନା ଅଧିକ
କୁହ ଜାଣ ଯଦି କିଏ ।
ମହୁଠୁଁ ମଧୁର ସିଏ
ମହୁ ଠାରୁ ତା'ର ଘନତା ଅଧିକ
କୁହ ଜାଣ ଯଦି କିଏ ।
ନଭଠୁଁ ଉଦାର ସିଏ
ନଭ ଠାରୁ ତା'ର ପରିଧି ଅଧିକ
କୁହ ଜାଣ ଯଦି କିଏ ।
ପକ୍ଷୀଠୁଁ ନିରୀହ ସିଏ
ପକ୍ଷୀ ଠାରୁ ତା'ର କାକଳି ଅଧିକ
କୁହ ଜାଣ ଯଦି କିଏ ।
ଛବିଠୁଁ ସୁନ୍ଦର ସିଏ
ଛବି ଠାରୁ ତା'ର କୁହୁକ ଅଧିକ
କୁହ ଜାଣ ଯଦି କିଏ ।
ନଦୀଠୁଁ ଗଭୀର ସିଏ
ନଦୀ ଠାରୁ ତା'ର ପ୍ରବାହ ଅଧିକ
କୁହ ଜାଣ ଯଦି କିଏ ।
ଖୁସିଠୁଁ ସତେଜ ସିଏ
ଖୁସି ଠାରୁ ତା'ର ବିସ୍ତାର ଅଧିକ
କୁହ ଜାଣ ଯଦି କିଏ ।
ମୋତିଠୁଁ ଦାମୀକା ସିଏ
ମୋତି ଠାରୁ ତା'ର ସ୍ବଚ୍ଛତା ଅଧିକ
କୁହ ଜାଣ ଯଦି କିଏ ।
ସେନେହ ତାହାର ନାଆଁ
ନିତି ତାହା ଯିଏ ମୋତେ ଯାଚି ଦିଏ
ସିଏ ଅଟେ ମୋର ମାଆ ।
