ଅଳପ
ଅଳପ
ଅଳପ କଥାରେ ମନ କିଣିହୁଏ ଅଭୁଲା ରହେ ସେ ମନେ,
ଅଳପ ହସରେ ଅକୁହା କଥା ବି କହିଦିଏ ପ୍ରେମୀ ଜଣେ |
ଅଳପ ରଙ୍ଗରେ ଇନ୍ଦ୍ରଧନୁ ଆଂକେ ଆକାଶରେ କଳା ମେଘ,
ଅଳପ ବରଷା ପୁଲକିତ କରେ ଦିଏ ନୂଆ ଅନୁଭବ |
ଅଳପ ଆଲୋକ ଅନ୍ଧକାର ନାଶେ ଅଳପ ଦିଶଇ ତାରା,
ଅଳପ ଲୁଣରେ ସୁଆଦିଆ ହୁଏ ତରକାରୀ ଖଟା ବରା |
ଅଳପ ମଣିଷ ନିଜ କଥା ଭୁଲି ଦେଶକୁ କରନ୍ତି ପ୍ରେମ,
ଅଳପ ଔଷଧ ରୋଗ ଦୂର କରେ ଅତି ବୁଦ୍ଧି କରେ ଭ୍ରମ |
ଅଳ୍ପ ଧନରେ ଚଳିହୁଏ ସିନା ଜାଣିଥିଲେ କଉଶଳ,
ଅଳପ ଦାନରେ ବଡ଼ କାମ ହୁଏ ମିଳେ ବେଶି ପୁଣ୍ୟଫଳ |
ଅଳପ ଅଳପ ସଞ୍ଚୟ କରିଲେ ଭଣ୍ଡାର ବି ପୂରିଥାଏ,
ଅଳପ ଟିକିଏ ମଥା ନଇଁଦେଲେ ବିପଦ ବି ଟଳିଯାଏ |
ଅଳପ ଖାଇଲେ ଆୟୁ ବୃଦ୍ଧି ହୁଏ ଶରୀର ନିରୋଗ ରହେ,
ଅଳପ ଅଳପ ଚାଲି ଯାଉଥିଲେ ବାଟ ସରିସରି ଯାଏ |
ଅଳପ ଅଳପ ପଢି ଚାଲିଥିଲେ ବଡ଼ ବହି ପଢ଼ି ହୁଏ,
ଅଳପ ଅଳପ କାମ କରୁଥିଲେ ବଡ଼ କାମ ହୋଇଯାଏ |
