STORYMIRROR

Latika Bilash

Children

3  

Latika Bilash

Children

ଝାଡ଼ୁ

ଝାଡ଼ୁ

1 min
173


ଅଳିଆ ଅସନା ଝାଡି ଦିଏ ବୋଲି

ଝାଡ଼ୁ ନାମରେ ମୁଁ ବିଖ୍ୟାତ ,

ଗରିବ ହେଉ କି ହେଉ ସୌଦାଗର

ସବୁ ଘରେ ମୋର ସାକ୍ଷାତ ।।


ସାହିତ୍ୟ ଭାଷାରେ ସମାର୍ଜନୀ ମୁହିଁ

ଗାଉଁଲି ଭାଷାରେ ଛାଞ୍ଚୁଣି,

କିଏ କହେ ମୋତେ ପହଁରା, ଖଡ଼ିକା

କିଏ କହିଥାଏ ବାଢୁଣି ।।


କିଏ ଗୁନ୍ଥେ ମୋତେ ଖଜୁରି ପତ୍ରରେ

କିଏ ଗୁନ୍ଥେ ତାଳପତ୍ରରେ ,

କିଏ ଗୁନ୍ଥିଦିଏ ନଡ଼ିଆ କଣିରେ

କିଏ ଗୁନ୍ଥେ ଘାସ ପତ୍ରରେ ।।


ଯିଏ ଯେଉଁଥିରେ ତିଆରୁ ପଛକେ

କାମଟି ମୋହର ଗୋଟିଏ ,

ସଫା ସୁତୁରା ମୁଁ ରଖେ ଘରଦ୍ୱାର

କୋଟିକରେ ମୁହିଁ ଗୋଟିଏ ।।


ଘର କୋଣେ ମୁହିଁ ଲୁଚିଥାଏ ସିନା

ନୁହେଁ ମୁଁ କେବେ ବି ଅଶୁଭ ,

ପୂଜା ଆରାଧନା ହୋଇଥାଏ ମୋର

ମୁଁ କାଳେ ଲକ୍ଷ୍ମୀଙ୍କ ସ୍ୱରୂପ ।।


ଓଡ଼ିଶା ଠାକୁର ରାଜା ଗଜପତି

କାମଟି ତାଙ୍କର ନିଆରା ,

ନିଜ ହାତେ ଧରି ସୁବର୍ଣ୍ଣ ଖଡ଼ିକା

କରିଥାନ୍ତି ଛେରା ପହଁରା ।।


ସଫେଇ କାର୍ଯ୍ୟଟି ଛୋଟ କାମ ଭାବି

ଭାବନାହିଁ କେବେ ନିକୃଷ୍ଟ ,

ଆମ ବାପୁ ପରା ସାଫ୍ ସଫେଇକୁ

ମଣୁଥିଲେ ସଦା ଉତ୍କୃଷ୍ଟ ।।


ଆସ ଆସ ମିଶି ସେ ଭାଇ ଭଉଣୀ

ସଫେଇକୁ ଦେଇ ଗୁରୁତ୍ବ ,

ଅରଣ୍ୟକୁ କରି ନନ୍ଦନକାନନ

ଗଢି ଦେବା ଶ୍ରେଷ୍ଠ ଭାରତ। ।।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children