ଗଛର ପରିବାର
ଗଛର ପରିବାର


ଖରା ବରଷା ଶୀତ କାକର ବରଷ ସାରା ସହେ,ଝଡ଼ ବତାଶ ଭାଙ୍ଗେ ମୋ ଡାଳ ତାକୁ ବି ସହିଥାଏ |
ମାଟି ଆମର ମାଆଟି ସିନା ଆକାଶ ଆମଛାତ,ପ୍ରକୃତିରାଣୀ ଜେଜୀମା’ ହୋଇ ଦିଏ ମାଟିରୁ ଭାତ |
ଜଙ୍ଗଲ ଆମ ସବୁଠୁ ପ୍ରିୟ ଅଛନ୍ତି କେତେଭାଇ,ସକଳେ ହାତଟେକି ଥାଆନ୍ତି ସୂର୍ଯ୍ୟ କିରଣ ପାଇଁ |
ବଗିଚା ଆମ ଖେଳପଡ଼ିଆ ଖେଳୁ ଫୁଲର ସାଥେ,ଲତା ଆମରି ଗେହ୍ଲା ଭଉଣୀ ମାଡ଼ନ୍ତି ଡାଳ-ହାତେ |
କୋଳେଇ ଧରି ବଢାଉଁ ତାକୁ ଭାରି ଆଦର କରି,ପକ୍ଷୀ ଆସନ୍ତି ଡାଳେ ବସନ୍ତି ଗାଆନ୍ତି ସୁରଧରି |
ଗୁଳମ ଭାଇ ବୁଦାରେ ଥାଇ ଗଢନ୍ତି ଆଶ୍ରାସ୍ଥଳ,ଛୋଟିଆ ଯିବ ରହନ୍ତି ଲୁଚି ଖାଇ ତା’ ଫଳ-ମୂଳ |
ନଡ଼ିଆ ତାଳ ଖଜୁରୀ ଭାଇ ଛୁଅନ୍ତି ଆକାଶକୁ,ପାଚିଲେ ଫଳ ପକାନ୍ତି ତଳେ ଭୋକିଲା ଖାଇବାକୁ |
କହୁନା କିଛି ମାଗୁନା କିଛି ନେଉନା କାହାଠାରୁ,ଦାନ କରିବା କାମ ଆମର ସେହି କାମଟି କରୁ |
କିଏ କାଟୁଛି, କିଏ ମାରୁଛି କିଏ ଦେଉଛି ପୋଡ଼ି,ତଥାପି ଆମେ ବଞ୍ଚି ରହିଛୁ ନୂଆ ପତର କାଢି |
ପୂଜା କରୁଛି କିଏ ଆମକୁ ଦାରୁ ଦେବତା କହି,ଚନ୍ଦନ ଡାଳ ଘୋରି ମଥାରେ ଲଗାନ୍ତି କେହି କେହି |