STORYMIRROR

Kulamani Sarangi

Abstract Tragedy

3  

Kulamani Sarangi

Abstract Tragedy

କୁହ ହେ କଳା ଠାକୁର

କୁହ ହେ କଳା ଠାକୁର

1 min
11.8K


ଆହେ ଜଗନ୍ନାଥ, ପୁରସ୍ତମ ନାଥ

ତୁମ୍ଭ ଦେଉଳ ଦୁଆରେ,

ଛିଡ଼ା ହୋଇଛି ମୁଁ, ମନାକରିଅଛ

ଯିବାପାଇଁ ଶ୍ରୀମନ୍ଦିରେ ହେ,

ଅରୁଣ ଖମ୍ବ ପାଶେ,

ତୁଣ୍ଡି ବାନ୍ଧି ବସିଛି ନିରାଶରେ ହେ।।


କାହାକୁ ତାରିଛ କାହାକୁ ମାରିଛ,

ସେଥିରୁ ମୋତେ କି ଲୋଡା ,

ପାଦେ ମୋ ଶିଙ୍କୁଳି ବନ୍ଧା ହୋଇଅଛି

କୁହ ମୋତେ ଚକାଡୋଳା ହେ,

କେଉଁ ଦୋଷେ ମୋହର

ଦେଲ ପେଟ ପିଠିରେ ପାହାର ହେ।।


ଘର ଚଳାଇବା ପାଇଁ ହେ ସାଆନ୍ତେ

ଯାଇଥିଲି ଦେଶାନ୍ତର,

ପେଟରେ ମାରିଲ ଲାତ,ଉପାସରେ

ଫେରିଲି ମୁଁ ନିଜ ଘର ହେ,

କିଛି ନକରି ପାପ,

ହେଲା ଚଉଦ ଦିନ କୋଲପ ହେ।।


ସ୍ନେହ,ପ୍ରେମ ଆଉ ସମ୍ପର୍କ ନାମରେ

ନାହିଁ କିଛି ଏ ସଂସାରେ,

ନିଜ ପ୍ରାଣଭୟ ଘାରିଛି ସଭିଙ୍କୁ

ଦେଖିଲେ ଧାଆଁନ୍ତି ଦୂରେ ହେ,

ସାଇ ପଡିଶା ସଖା,

ମୁହଁ ମୋଡନ୍ତି ହୋଇଲେ ଦେଖା ହେ।।


ଦୟା କରୁଣାର ଚିହ୍ନବର୍ଣ୍ଣ ନାହିଁ

ଦେଖିଲି ଯାହା ବାଟରେ,

ପ୍ରସୂତି ନାରୀକୁ ସନ୍ତାନ ସହିତେ

ଛାଡି ଦେଲେ ଜଙ୍ଗଲରେ ହେ,

କରୋନାକୁ କି ଭୟ !

ପଶୁ ଠାରୁ ମଣିଷ ନିର୍ଦ୍ଦୟ ହେ।।


ଚୋରି ହାରି କେବେ କରିନାହିଁ,ଉଠି

ନାହିଁ ମୁଁ ଥାନା ଦୁଆର,

ଏବେ ଦୋଷ ଥାଉ ଅଥବା ନଥାଉ

ପିଠିରେ ବସେ ପାହାର ହେ,

ନିଜ ଦେଶରେ ଆସି,

ପରଦେଶୀ ହେଲି ବ୍ରଜବାସୀ ହେ।


କେଉଁ ଠାରୁ ଏହି କରୋନା ଜନ୍ତୁଟି

ଆଣିଲ ଆମ୍ଭ ଦେଶକୁ,

ଯଦିବା ଆଣିଲ ନାଶ କରିବାକୁ

ସମସ୍ତ ପାପୀ ମାନଙ୍କୁ ହେ,

ହେଉ ନାହିଁ ତା ଦୃଶ୍ୟ,

ପାପୀଙ୍କର ଏବେ ପୁଷମାସ ହେ।


କେତେ ଦିନ ଆଉ କୋଲପ ପକାଇ

ରଖିବ ବଡ଼ ଠାକୁରେ,

ଦାନାପାଣି ଯେବେ ଛଡାଇଲ ଆଉ

ବଞ୍ଚିବୁ କେଉଁ ପ୍ରକାରେ ହେ,

ଚାଷ ଅଭ୍ୟାସ ନାହିଁ,

ବିଲ ବାଡ଼ିରେ ଖଟିବା ପାଇଁ ହେ।


ମନା କରିଦେଲ ସବୁ ଯାନିଯାତ୍ରା,

ବାହା ବ୍ରତ ପୂଜାପାଠ,

ଡ଼ାକ୍ତରଖାନାରେ ମଲେ କୋରୋନାରେ

ଜ୍ଞାତି ନଦେଖନ୍ତି ମୁଖ ହେ,

ହାଡ଼ ଖଣ୍ଡେ ଯା'ମିଳେ,

କିଏ ଜାଣେ ଶବ କାହିଁ ଜଳେ ହେ।


ମୁଖାଗ୍ନି ଦେଉଛି ବାପ ମୁହେଁ ପୁଅ

ମୋବାଇଲ ଫଟୋ ଦେଖି,

ଏହା କି ପ୍ରକାର ଜୀବନ ଠାକୁର,

ଏହି ତୁମ୍ଭ ବିଧାନ କି ହେ,

ପଚାରୁଛି ମୁଁ ବସି,

ତୁମ୍ଭ ସିଂହ ଦ୍ବାରେ ବ୍ରଜବାସୀ ସେ। 


ଏ'କି ଶେଷ ଦୃଶ୍ୟ ଆହେ ଯାଦବେଶ

ଅଜ୍ଞାନ ମୁଁ କି ଜାଣିବି !!

ଏହି ଯେବେ ତୁମ ପ୍ରକୃତି ନିୟମ

ଆଉ ମୁଁ କିବା କହିବି ହେ,

ତାରିଲେ ତୁମ୍ଭେ ତାର,

ମାରିବାର ଅଛି ଯେବେ ମାର ହେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract