STORYMIRROR

Jagannath Barik

Classics Inspirational

4  

Jagannath Barik

Classics Inspirational

କଟକ ଆଦ୍ୟପ୍ରାନ୍ତ କ ଅନୁପ୍ରାସ

କଟକ ଆଦ୍ୟପ୍ରାନ୍ତ କ ଅନୁପ୍ରାସ

2 mins
525

କଟକ କଟକ ଛଟକ ନେତ୍ର କରେ ଅଟକ

   କରନ୍ତି ନିବାସ ଯହିଁରେ ଷଡ଼ତ୍ରିଂଶ ପାଟକ |


   କଳ କଳ ନାଦୀ ତଟିନୀ ବେନିପାର୍ଶ୍ୱେ ଝଟକ 

   କମନୀୟା ମହାନଦୀକୁ କାଠଯୋଡ଼ି ଯୋଟକ |


   କଟକ ନଗର ଧବଳ ଟଗରର ମୂଲକ 

   କଟକ ଚଣ୍ଡୀଙ୍କ ପ୍ରସାଦୁ ଲଭି ଯଶ ତିଳକ |


   କର୍ମଜୀବୀଠାରୁ କାରୋଡ଼ପତି ଯହିଁ ଏକକ 

   କରଇ ଉଦର ଭରଣ ଲକ୍ଷ ଲକ୍ଷ ଜନଙ୍କ |


   କରମ ଭୂମି ଏ ଧରମ ଭୂମି ପ୍ରଜା ପାଳକ 

   କଷଟି ପଥରେ କଷିତ ମାଟି ଖାଣ୍ଟି କନକ |


   କଳା କାରିଗରୀ ଚାତୁରୀ ଯା'ର ଚିତ୍ତାକର୍ଷକ 

   କରେ ସୁନା ରୂପା ତାରକସୀର ଚାରୁ ଚମକ |


   କହେ ଇତିହାସ ଯା' ବାରବାଟୀ ଦୁର୍ଗ ଝଲକ 

   କଳିଙ୍ଗ ଅତୀତ ବୀରତ୍ୱ ଯଶ ପ୍ରତିପାଦକ |


   କରି ନୌବାଣିଜ୍ୟ ସାଧବ ପୁଏ ସାଜି ବଣିକ 

   କଉଡ଼ିଆ ଗଡ଼ ଗଡ଼ିଆ ଯା'ର ସାକ୍ଷୀ ସୂଚକ |


   କର୍ମବୀର ଗୌରୀ ଶଙ୍କର ଆଉ ନେତାଜୀ ଡ଼ାକ

   କରେ ବାଇମୁଣ୍ଡି କଟକ ଯଶ ପତାକା ଟେକ |


   କଟକରେ ବଢ଼ି ବିଜୟାନନ୍ଦ ପଟ୍ଟନାୟକ 

   କରିଗଲେ କୀର୍ତ୍ତି ବିତରି ଗଲେ ଦିବ୍ୟ ମହକ |


   କଳା-କଲ୍ଲୋଳିନୀ ଉତ୍କଳେ ଟେକି ଶିକ୍ଷା ଛଟକ 

   କଲେଜ ରେଭେନ୍ସା ପିନ୍ଧାଏ କେତେ ଶିକ୍ଷା ପଦକ |


   କଚେରୀ ମଧ୍ୟରେ ରାଇଜେ ଉଚ୍ଚ ନ୍ୟାୟପାଳକ 

   କରୁଅଛି ରାୟ ପ୍ରଦାନ ରହି କାଳକାଳକ |


   କଟକ କଟିରେ ଏସ.ସି.ବି. ମେଡ଼ିକାଲ ଶୁଭକ

   କରଇ ରାଇଜ ବାସୀଙ୍କୁ ନିରାମୟ ପୁଲକ |


   କହନ୍ତି ବାଉନ ବଜାର ଗଳି ତେପନ ଛକ 

   କଷା କଷ ଏଠି ଗହଳି ରାତ୍ର ଦିବସ ଯାକ |


   କଟକ ସମାଜ ଭବନ ଗୋପବନ୍ଧୁଙ୍କ ଟେକ 

   କରଇ ମହିଳା କଲେଜ ମଧୁ ସ୍ମୃତି ବାହକ |


   କଟକ ର ଦଶହରା ବିଖ୍ୟାତ ବିଶ୍ୱ ଚମକ 

   କଳଧୌତ କଳଧୌତର ମେଢ଼ ଚିତ୍ତାକର୍ଷକ |


   କଣ୍ଠତଟେ ଯୋବ୍ରାନିକଟ କରେ ଜଳ ଅଟକ 

   କରଇ ଗୌରବ ବର୍ଦ୍ଧନ ଷ୍ଟାଡିୟମ ଚମକ |


   କଟକ ବେତାର କେନ୍ଦ୍ରର ଖ୍ୟାତି ସାରା ମୂଲକ 

   କଟକ ଟି ବ୍ୟବସାୟର ପେଣ୍ଠ ସ୍ଥଳି ମୌଳିକ |


   କମଳା-ବିଳାସ-ଭବନ ଭବ୍ୟ ଆମ୍ଭ କଟକ 

   କଳି କଳମଷ କଳୁଷ ହର ଭାବ ଦାୟକ |


   କରି ଭାଇଚାରା ଭାବନା ସିଞ୍ଚି ଶାନ୍ତି-ଉଦକ 

   କମର କଷନ୍ତି ବିପଦେ ଜନେ ସାଜି ମେଳକ |


   କଳିର ମୀମାଂସା କରନ୍ତି ସାହି ମୁଖିଆ ଲୋକ 

   କରିଥାନ୍ତି ଗୁରୁ ଗୌରବ ଜ୍ଞାନ ମାନି ବିବେକ |


   କଳିଙ୍ଗ ରାଇଜ ପ୍ରାଚୀନ ରାଜଧାନୀ କଟକ 

   କଳି ନୁହେଁ ଯା'ର ବୟସ ହଜାରରୁ ଅଧିକ |


   କଟକେ ଆଇନ କଲେଜ ଗୌରୀ ଶଙ୍କର ପାର୍କ 

   କରିଛି ପ୍ରସିଦ୍ଧି କଟକ ବାଲିଯାତ୍ରା ମହକ |


   କତିରେ ବିଦ୍ୟାଧର ପୁର ଫାର୍ମ ଚିତ୍ତାକର୍ଷକ 

   କରିଛି ବହନ ବିଶ୍ୱ ବୃହତ ଧାନ୍ୟୋତ୍ପାଦକ |


   କରମ ଛୋଟିଆ ସ୍ମାର୍ଟ ସିଟି ନୋହି କଟକ 

   କଅଁଳ ବାଳୁତ ସହର ସବୁ ହେଲେ ତାଲିକ |


   କହିଦେବ କିଏ ଭାରତ ବର୍ଷେ ଟେକିଣ ବେକ 

   କଟକଠାରୁ କେ ଉତ୍କର୍ଷ ଆନ ଅଛି କଟକ |


   କଉଣସି ଗୁଣେ କଟକ ଟେକ ନୁହେଁ ଅଟକ 

   କହେ ଜଗନ୍ନାଥ କଟକ ବାସୀ ଜନ୍ମ ସାର୍ଥକ |



Rate this content
Log in

Similar oriya poem from Classics