କଥାରେ କଥାରେ
କଥାରେ କଥାରେ
କଳି ଯୁଗେ କଳି ବିଷ ଲୋ ସଜନୀ
କଳି ଯୁଗେ କଳି ବିଷ ,
ହରି ହର ନାମ ଜପୁଛନ୍ତି ଖାଲି
ହୃଦୟରେ ବହି ରୋଷ ।
କଥାରେ କଥାରେ ଶାଣିତ କଟୁକ୍ତି
ସମ୍ପର୍କକୁ କରି ଶେଷ ,
ଏ ତ କଳି ଯୁଗ ମହାକାଳ ଫଳ
ତୁଣ୍ଡେ ମିଛ ଭକ୍ତି ରସ ।
ଭକ୍ତି ହୃଦୟରେ ପ୍ରଭୁ ନାମ ନେଲେ
ଇନ୍ଦ୍ରିୟକୁ କରି ବଶ ,
ବୃଥା ଅଭିମାନ ଅହଂକାର ପଣ
ଛୁଇଁ ପାରେନାହିଁ ଲେଶ ।
ସବୁ ମିଛ ମାୟା ବାତୁଳ ବ୍ୟକ୍ତିତ୍ୱ
ଭକ୍ତିକୁ କରି ପ୍ରକାଶ ,
ପ୍ରଭୁ ଭକ୍ତ ବୋଲି ନିଜକୁ ମଣନ୍ତି
କଥାରେ ଚତୁର ଭାଷ ।
ପ୍ରବଚନ କେତେ ଦିଅନ୍ତି ବସିକି
ବିଳାସ ପୂର୍ଣ୍ଣ ମଞ୍ଚରେ ,
ଭାବ, ଭକ୍ତି ତାଙ୍କ କେତେ ଯେ କେଜାଣି
ଗଣା ସେ ବଡ଼ ଭକ୍ତରେ ।
ପ୍ରଭୁ ସମର୍ପଣ ନିରବେ ନି଼ଃଶଦ୍ଦେ
ଦୃଢ ଆରାଧନା ବଳେ ,
ପ୍ରଭୁ ଭକ୍ତ ବୋଲି ପ୍ରଭୁ ପ୍ରକାଶନ୍ତି
ସ୍ବୟଂ ଉପଯୁକ୍ତ ବେଳେ ।
ଭକ୍ତ ପ୍ରହଲ୍ଲାଦ ପୁଣି ସାଲବେଗ
ଦାସିଆ ବାଉରୀ ଖ୍ୟାତ ,
ବଳରାମ ଦାସ ବାଲିରଥ ଯାଏ
ସ୍ଵୟଂ ପ୍ରଭୁ ବିରାଜିତ ।
କହିବା ଗାଇବା ଲୋଡ଼ା ହୁଏ ନାହିଁ
ପ୍ରଭୁଙ୍କୁ ପାଇବା ପାଇଁ ,
ସ୍ଵୟଂ ପ୍ରକଟନ୍ତି ପ୍ରଭୁ ଭଗବାନ
ଭକ୍ତର ଭକ୍ତିକୁ ଛୁଇଁ ।
ପ୍ରଭୁ ନାମ ରସ ବିଷରେ ପୀୟୂଷ
ପାନ କଲା ଲୋକ ଜାଣେ ,
ଜାଣନ୍ତି କେବଳ ପ୍ରଭୁ ଅନ୍ତର୍ଯ୍ୟାମୀ
ପରଖନ୍ତି ପ୍ରତିକ୍ଷଣେ ।
ଭାବରେ ଭାବରେ ପହଁରି ପହଁରି
ପହଞ୍ଚନ୍ତି ଭକ୍ତଗଣ ,
ପ୍ରଭୁ ସାନ୍ନିଧ୍ୟକୁ ପାଇଣ ଜୀବନେ
ମୁକ୍ତିପା'ନ୍ତି ତତ୍ କ୍ଷଣ ।
