କଥାକାର ସୁରେନ୍ଦ୍ର
କଥାକାର ସୁରେନ୍ଦ୍ର
ଓଡ଼ିଆ ସାହିତ୍ୟେ କଥାକାର
ତୁମ୍ଭେ କାଳଜୟୀ,ଯୁଗସ୍ରଷ୍ଟା l
ନୀଳଶଇଳର ନାୟକଙ୍କ ମାନେ
ରାମଚନ୍ଦ୍ର ଜାତି ଭ୍ରଷ୍ଟା l
ଜୀବନ୍ତ ଚରିତ୍ର ପାଇକ ବଧୂ ସେ
ସରଦେଇ ଓ ଜଗୁନୀ l
ରାମଚନ୍ଦ୍ର କାଳବଳେ ଧରିଥିଲେ
ଯବନୀ ରିଜିଆ ପାଣି l
ଦୁର ଗୁପ୍ତବାସୁ ମହାପ୍ରଭୁ ପୁଣି
ନୀଳାଦ୍ରୀ ବିଜୟ କରି l
ନୀଳାଦ୍ରୀ କନ୍ଦରେ ବିଜେ କରିଛନ୍ତି
ପତିତପାବନ ହରି l
କୂଳବୃଦ୍ଧେ ତୁମ୍ଭେ ଚିତ୍ରିତ କରିଛ
ଏ ଜାତି ମହା ବିନ୍ଧାଣି l
ଶତାବ୍ଦୀର ସୂର୍ଯ୍ୟ ଶ୍ରୀମଧୁ ସୂଦନ
ଏ ଜାତିର ଉଦବୋଧନୀ l
ମରାଳର ମୃତ୍ୟୁ ହୋଇଲା ସେଦିନ
କୃଷ୍ଣାବେଣୀ ସନ୍ଧ୍ୟାକାଳେ l
ଅସ୍ତମିତ ହେଲେ ଏ ଜାତି ସୂରୁଜ
ମହା କାଳର କବଳେ l
ପଥ ଓ ପୃଥିବୀ, କବି ଓ ନର୍ତ୍ତକୀ
ଅନ୍ଧ ଦିଗନ୍ତର ବାର୍ତ୍ତା l
ବୁଦ୍ଧମ୍, ଧର୍ମଂ, ସଂଙ୍ଘ ଶରଣମ୍
ସାରିପୁତ୍ତ ଶିଷ୍ୟ କଥା l
ବୁଦ୍ଧ ଚରିତର ଚିତ୍ରିତ ବଖାଣ
ବୁଦ୍ଧ ଯାତକରୁ ଆଣି l
ସମ୍ଭାରେ ଦେଇଛ ପିତା ପୁତ୍ର ଆଦି
କେତେ କେତେ ଯେ କାହାଣୀ l
ଉତ୍କଳ ଐତିହ୍ୟ ଉତ୍କର୍ଷେ ବଖାଣି
ଯୁଗେ ଯୁଗେ ଉତ୍କଳରେ l
ଉତ୍କଳ ସାହିତ୍ୟ ଇତିହାସ ଲେଖି
ପରସିଛ ଯତନରେ l
ମହା କଥାକାର,ମହା ସ୍ତମ୍ଭକାର
ତୁମ୍ଭେ ମହା ସାମ୍ବାଦିକ l
ସୁସ୍ଥ ରାଜନୀତି ରାଜନେତା ତୁମ୍ଭେ
ତୁମ୍ଭେ ମହା ସାହିତ୍ୟିକ l
କାଳବଳେ ସିନା ନାଶ ଯାନ୍ତି ସର୍ବେ
ତନୁଧାରୀ ସଂସାରରେ l
ସୁରେନ୍ଦ୍ର ମହାନ୍ତି ଚିରନ୍ତ ଭାସ୍ୱର
ଉତ୍କଳ ବାଣୀ ଭଣ୍ଡାରେ l
