କଥା କୁହା କପିଳା
କଥା କୁହା କପିଳା
କଥା କୁହା ଆମ କପିଳା ଭାଇକୁ
ଚିହ୍ନି ନାହିଁ କୁହ କିଏ
ଗାଁ ମୁଣ୍ଡେ ନିତି ଚୁଗୁଲି ଗପଇ
ସକାଳରୁ ସଞ୍ଜ ଯାଏଁ ।
ଖଣ୍ଡିଏ ପାନକୁ ମାଗି ଖାଇଥାଏ
ଘଣ୍ଟାଏ ବସି ଚୋବାଏ
କଥା କହେ ସତେ ଏମିତିକା ପାନ
ଖାଉଛି ଦେଖାଇ ହୁଏ ।
ନିଜ ଘରେ ଖୁଦ ମୁଠାଏ ନ ଥାଉ
ଢମ କଥା ଗପି ଯାଏ
ଦାନ୍ତ ଖୁଣ୍ଟଇ ସେ ସତେକି ମଟନ୍
ଖାଇକି ଆସିଛି ସିଏ ।
କାହା ଘରେ ଯଦି ଜିରାଟେ ଫୁଟିଲା
କପିଳା ଭାଇକୁ ବାସେ
ଭଲ ନ ଦିଶଇ ସବୁବେଳେ ପର
ମନ୍ଦ କଥା ସବୁ ଦିଶେ ।
ସରକାରଙ୍କଠୁ ଘରଟେ ପାଇଛି
ଡିଲର୍ ଚାଉଳ ମିଳେ
ବିଲ ତା' ପଡ଼ିଆ କାମ କରେନାହିଁ
ମାଆ ଭତ୍ତା ନେଇ ଚଳେ ।
ସ୍ତ୍ରୀ ,ବୁଢ଼ୀ ମାଆ ବାଡ଼ିରେ ପରିବା
ଲଗାଇ ଚଳାନ୍ତି ଘର
କୁଟେ ମା' ଧାନ ଗପୁରା କପିଳା
ଦେଖାଇ ହୁଏ ନାଗର ।
ମନ ଭୁଲାଣିଆ କଥା ସେ କୁହଇ
ଭିତରେ କାଟଇ ଚେର
ଭୋଜି ଖାଇ ମୁହଁ ଧୋଇ ଦେଲା ପରେ
ଗପେ ବିରୁଦ୍ଧରେ ତା'ର ।
ଭଲ ଖଣ୍ଡେ ପିନ୍ଧି କପିଳା ଆଗରେ
ଯଦି ଚାଲିଯାଏ କେହି
ଉପରେ ପଡ଼ିକି ପଚାରେ ପଛରେ
ସହିପାରେନାହିଁ ସେହି ।
ନିଜ ଘରେ ପଛେ ଶହେ କେଁ ଥାଉ
ପର ଆଲୋଚନା କରେ
ଅନ୍ୟକୁ ଚାହିଁଲେ ନିଜର ହିଁ କ୍ଷତି
କପିଳା ବୁଝି ନ ପାରେ ।
