କଷଣ
କଷଣ
ଜୀବନ ଏଇ ଜୀବନ,
ଖାଲି ଶୋଷଣ ଆଉ କଷଣ,
କେମିତି କେବେ କେମିତି,
ବିତିଯାଉଛି ପ୍ରତିଟି କ୍ଷଣ ।
କେବେ ଅଭାବ, କେବେ ଅସୁସ୍ଥ,
ଜମା ସରେନି, ଦୁଃଖ ହରେନି,
କେବେ ଶାରୀରିକ, ପୁଣି ସାମାଜିକ,
ସାହିପାରେନି କି କହିପାରେନି।
ଶରୀର କଷଣ, ଦୂର ହୁଏ ସିନା,
ସଠିକ ଔଷଧ ଦ୍ୱାରା,
ମନର ଆଘାତ, ବୁଝି ନ ପାରିଲେ,
ଭଲ ହୁଏ ନାହିଁ ପରା ।
ରକ୍ତ ମାଂସ ଦେହ, କ୍ଷତ ହୋଇଗଲେ,
ଅଳ୍ପଦିନେ ଭରିଯାଏ,
ମନର କ୍ଷତ ତ, ଦେଖିହୁଏ ନାହିଁ,
ବୁଝିପାରିବ ବା କିଏ ?
ଶରୀର, ମନକୁ ଛାଡିଦେଲେ ପୁଣି,
ଆତ୍ମା ଯେ କଷଣ ପାଏ,
ଯେବେ ତାର କେହି ଅତି ଆପଣାର,
ପରହୋଇ ଧୋକା ଦିଏ ।
ପିତାମାତା ଯଦି କଷଣ ପାଆନ୍ତି,
ପୁତ୍ରନାତି ଦୂରହେଲେ,
ସନ୍ତାନସନ୍ତତି କଷ୍ଟ ଭୋଗୁଥାନ୍ତି,
ପିତାମାତା ଭୁଲ କଲେ ।
ପତି କଷ୍ଟ ପାଏ, ପତ୍ନୀ ଧୋକାଦେଲେ,
ପରପ୍ରୀତି ଯଦିଥାଏ,
ସେଇ ପ୍ରୀତି ଯଦି ପତି କରେ ଆନେ,
ପତ୍ନୀ ସେଠି କଷ୍ଟ ପାଏ ।
ଗୁରୁ, ଗୁରୁମାଯେ କଷଣ ଲଭନ୍ତି,
ଛାତ୍ର ଛାତ୍ରୀ ଦୁଷ୍ଟ ହେଲେ,
ଛାତ୍ରଛାତ୍ରୀ ପୁଣି ପାଆନ୍ତି କଷଣ,
ଗୁରୁବର ଗାଳିଦେଲେ ।
ଏମିତି ଦୁନିଆ କଷଣ ଭରା ଯେ,
ସବୁଠାରେ ଅଛି ରହି,
କଷଣ ବିନା ଯେ ଜୀବନେ ଆନନ୍ଦ,
ପାଇନି ଜମାରୁ କେହି ।
