କ୍ଷମା
କ୍ଷମା
କ୍ଷମା କରେ ଯିଏ ଏଇ ଦୁନିଆରେ
ସବୁ ଠାରୁ ବଡ ସିଏ
ସବୁଠୁ ବିଶାଳ ତାହାର ହୃଦୟ
ସବୁଠି ସେ ପୂଜ୍ୟ ହୁଏ ।
ଛୁଇଁ ପାରେ ନାହିଁ ଆଘାତ ତାହାକୁ
ହେଉ ଯେତେ ଅପମାନ
ଧରିତ୍ରୀ ପରି ସେ ସବୁ ସହି ଯାଏ
ଲୁହରେ ଭିଜୁ ନୟନ ।
ତଥାପି ଓଠରେ ହସ ତାର ଥାଏ
ଆସୁ କଷ୍ଟ ପଛେ ଯେତେ
ଦୋଷ ସେ ନ କରି ଦୋଷୀ ହୋଇ ପୁଣି
କ୍ଷମା ମାଗୁ ଥାଏ ସତେ ।
କ୍ଷମା ମାଗିବାଟା ଅଟେ ବଡ କଥା
କ୍ଷମା ଦେଉଥାଏ ଯିଏ
ଏଇ ସଂସାରରେ ସବୁଠାରୁ ବଡ
ହେଇ ରହି ଥାଏ ସିଏ ।
ଏଇ କ୍ଷମା ଅଟେ ମହାନତା ଗୁଣ
ପ୍ରତି ହୃଦୟରେ ଥାଏ
ଗର୍ବ କ୍ରୋଧ ଅହଂକାର ଭାବକୁ ସେ
ଅକ୍ଳେଶରେ ଧୋଇ ଦିଅ ।
କ୍ଷମା ଠାରୁ ବଡ ପଣ୍ୟ ଶବ୍ଦ ଭଳି
ଆଉ ଶବ୍ଦ କିଛି ନାହିଁ
ଦଣ୍ଡିବା ଶକତି ଯାହାର ତ ଥାଇ
କ୍ଷମା ସିଏ ଆଚରଇ ।
ପ୍ରତି ଜୀବନରେ ଭୁଲ୍ ହେଇଥାଏ
ଭୁଲ୍ ପାଇଁ କ୍ଷମା ଥାଏ
ଏମିତି ବି ଭୁଲ୍ ଜୀବନରେ ହୁଏ
ନା ତାହା ପାଇଁ କ୍ଷମା ଥାଏ ।
କ୍ଷମା ମାଗିବାର ସମୟଟା ଯଦି
ହେଇଯାଏ ଅତିକ୍ରାନ୍ତ
ଆଖି ପାହାନ୍ତାରେ ସବୁ ସରି ଯାଏ
ଜୀବନ ହୁଅଇ ଅନ୍ତ ।
ମହାଭାରତ ଯୁଦ୍ଧ ସମୟେ ଅର୍ଜୁନ
ଦେଖି କୃଷ୍ଣ ବିଶ୍ୱ ରୂପ
ହାତ ଯୋଡି ଦେଇ ପାଦେ ପଡି ଯାଇ
କଲେ ବହେ ଅନୁତାପ ।
ବୋଇଲେ ହେ ପ୍ରଭୁ ଦୋଷ କ୍ଷମା କର
ସଖା ଭାବେ ତୋତେ ମଣି
କେତେ ଦୋଷ ଅପରାଧ ମୁଁ କରିଛି
କିଏ ଅଛି ତାହା ଜାଣି ।
ଜାଣତରେ ଅବା ଅଜାଣତେ ହେଉ
କରିଥିବା ଦୋଷ ମୋର
ନିଜର ଭାବିଣ ମହାନତା ପଣେ
କ୍ଷମା ବାରେ ମୋତେ କର ।
ସଖା ଦୋଷ ସଖା ଯେମିତି କ୍ଷମଇ
ପୁତ୍ର ଦୋଷକୁ ଯେ ପିତା
ସ୍ତ୍ରୀର ଦୋଷକୁ ସ୍ୱାମୀ ନ ଧରଇ
ଦୋଷ ଅନ୍ତ କରେ ମାତା ।
ସଖା ସହୋଦରେ ଅବା ବନ୍ଧୁ ପଣେ
ଯେ ଦୋଷ କରିଛି ମୁହିଁ
ପାଦେ ପଡି ଆଜି କ୍ଷମା ମାଗୁଅଛି
କ୍ଷମା କରି ଦିଅ ତହିଁ ।
କ୍ଷମା ଶବ୍ଦ କେବେ ଛୋଟିଆ ନୁହଁଇ
ଶାନ୍ତି ଦେଇଥାଏ ମନ
କ୍ଷମା ମାଗେ ଯିଏ ସିଏ ଜାଣି ଥାଏ
ଏ କ୍ଷମା କେତେ ମହାନ୍ ।
ମହାନ୍ ତ ପୁଣି ସିଏ ହୋଇଥାଏ
ଯିଏ କ୍ଷମା ଦେଇଥାଏ ।
ସମସ୍ତଙ୍କ ପାଖେ କ୍ଷମା ମାଗିବାର
ସତ୍ ସାହସ ନ ଥାଏ ।
ଦେ ଦେଶ ମଧ୍ୟେ ଯୁଦ୍ଧ ବିଭୀଷିକା
ଭୟଙ୍କର ରୂପ ନିଏ
କ୍ଷମା ଯଦି ଜଣେ କିଏ ମାଗି ନିଏ
ଧ୍ବଂସ ମୁଖରୁ ସେ ବର୍ତ୍ତି ଯାଏ ।
କ୍ଷମା ଆଣିଥାଏ ଜୀବନରେ ପୁଣି
କେବେ ସଫଳତା ସ୍ବାଦ
ଉଚ୍ଚା କରି ଥାଏ ସମ୍ମାନ ବଢାଏ
ଟାଳି ଥାଏ ସେ ବିପଦ ।
କ୍ଷମା ମାଗି ଦେଲେ ଛୋଟ ହୋଇଯିବ
ଏ କଥା ଭାବନି କେହି
ସଫଳତା ସିଡି ଚଢିବାର ପାଇଁ
ଏକମାତ୍ର ସାଥି ଏହି l
