କରୁଛି ଶପଥ
କରୁଛି ଶପଥ
ଅଦିନ ବରଷା ଵରଷିବ ବୋଲି
ଭାବି ନଥିଲି ମନରେ
କେତେ ଯତନରେ ବାନ୍ଧିଥିଲି ବସା
ଭାଙ୍ଗିଗଲା କ୍ଷଣିକରେ ।
ବିଜୁଳି ଆଲୋକ ଘଡଘଡି ଶବ୍ଦ
ପ୍ରକମ୍ପିତ ହେଉଥିଲା
ରଙ୍ଗ ତା ଧୂସର ସୁମଧୁର ସ୍ବର
ଅବେଳରେ ବରଷିଲା ।
ଛାଡିଗଲା ବର୍ଷା ଦେଇଗଲା ଦୁଃଖ
ରହିଲା ମନରେ ମୋର
ଦୁଃଖ ଦରିଆରେ ଭାସୁଅଛି ଏବେ
କେମିତି କରିବି ଘର ।
ଯେତେ ବୁଝାଇଲେ ବୁଝିଲା ନାହିଁ ତ
ଅମାନିଆ ମନ ତା'ର
କେଉଁଠି ରହିଲା ଦୋଷ ଯେ ମୋହର
କରିଲା ମୋତେ ସେ ପର ।
ଲୋକହସା ଆଜି କରିଲା ଜଗତେ
ପାଉନାହିଁ ଥଳକୂଳ
ଭାଗ୍ଯ ମୋର ଛୋଟ ଦେଲା ବହୁ କଷ୍ଟ
ମୋ ସଙ୍ଗେ ଖେଳିଲା ଖେଳ ।
ତା' ପରି ମଣିଷ ଆଜି ଏ ସମାଜେ
ଅଛନ୍ତିରେ କେତେ ଜଣ
ସ୍ବାର୍ଥପର ହୋଇ ଗୋଇଠା ମାରନ୍ତି
ମୁହଁକୁ କରିଣ ଟାଣ ।
ଅସମୟେ ଆସି କରଥାନ୍ତି ଵସା
ଦେବାକୁ ଦିବ୍ୟ ଆଲୋକ
ବୁଝି ନପାରନ୍ତି ସାର ମର୍ମ ସିଏ
ଚକ୍ଷୁରେ ଭରି ଲୋତକ ।
ଭସାବାଦଲ ସେ ଭାସିଗଲା ଆଜି
ଦେଇଗଲା କେତେ କଷ୍ଟ
ଯେତେ ଚେଷ୍ଟାକଲେ ପାଉନାହିଁ ଭେଟ
ଭାବୁଛି ମୁଁ କାଳେ ଦୁଷ୍ଟ ।
କରି ନାହିଁ ଭୁଲ୍ ଲେଖିଛି କଲମେ
ନିଜ ଅନୁଭୂତି କଥା
ନିଜ ପରିବାର ପଡିଶାର ଘର
ରହିଛି ଅନେକ ବ୍ଯଥା ।
ସୁନା ଚିହ୍ନେ ସିନା ସୁନାରି ବଣିଆ
ବନ୍ଧୁ ତ ଚିହ୍ନେ କୁଣିଆ
ଚିହ୍ନିଲାନି ବନ୍ଧୁ ହେଲା ଅମାନିଆ
ଜାଣିଲା ସାରା ଦୁନିଆଁ ।
ମାନ ଅଭିମାନ ଭରିଛି ସଂସାରେ
କେହିତ ନୁହେଁ କାହାର
ନିଜସ୍ବାର୍ଥ ପାଇଁ ଅଭିମାନେ ଲୋକ
କରନ୍ତି ରଣ ହୁଙ୍କାର ।
କବିର କଲମ କବିତାର ମର୍ମ
ହୋଇବ ଚିର ସୁନ୍ଦର
କରୁଛି ଶପଥ ଶୁଣ ସର୍ବେ ଜନ
ହେବିନି କାହା ନିଜର ।