STORYMIRROR

Biswanath Nayak

Abstract Others

4  

Biswanath Nayak

Abstract Others

କୃଷ୍ଣଚୂଡ଼ାର ହସ

କୃଷ୍ଣଚୂଡ଼ାର ହସ

1 min
350


ସୂରୁଜ ଉଠି ନଥିଲେ

ଧିରେ ଧିରେ ବହୁଥିଲା ବାଆ। 

ନିଦରୁ ଉଠି ଧରଣୀ

ଲାଗୁଥିଲା ସତେ ଅବା ନୂଆ। 


ପ୍ରାତଃ ଭ୍ରମଣେ ମୋ ପାଦ

ବଢୁଥିଲା ଆଗକୁ ଆଗକୁ। 

ପଥ ପାର୍ଶ୍ଵେ କୃଷ୍ଣଚୂଡ଼ା !

ଆକର୍ଷିତ କଲୁ ମୋ ମନକୁ। 


ପେନ୍ଥା ପେନ୍ଥା ହୋଇ ଫୁଟି

ପାଦପର ମଣ୍ଡୁଥିଲୁ ଶୋଭା। 

ସେ ଅପୂର୍ବ ଦିବ୍ୟ ଶୋଭା

ଲାଗୁଥିଲା କେତେ ମନଲୋଭା !


ରକ୍ତିମ ଅଧରେ ହସି

ପବନରେ ଖେଳୁଥିଲୁ ଦୋଳି। 

ସୂର୍ଯ୍ୟ ଆଗମନୀ ପାଇଁ

ହାତେ ସତେ ଧରି ଅର୍ଘ୍ୟ ଥାଳି। 


ଜାଣେ ନାହିଁ କେତେବେଳେ

ଅଜାଣତେ ଅଟକି ମୁଁ ଗଲି। 

ତୋ ରଙ୍ଗକୁ ବୋଳି ହୋଇ

ମନେ ମନେ ହୋଲି ମୁଁ ଖେଳିଲି। 


ତୋ ଓଠର ନାଲି ହସ

ଚୁମୁଥିଲା ମୋର ତନୁ ମନ। 

ରୋମାଞ୍ଚିତ ହେଉଥିଲି

ଛୁଇଁବାକୁ ତୋର ଅପଘନ। 


ଛୁଇଁ ମୁଁ ପାରୁ ନଥିଲି

ହାତ ଠାରୁ ଥିଲୁ ଯେଣୁ ଦୂରେ।  

କିନ୍ତୁ ତୋ ହସ ସାଉଁଟି

ରଖୁଥିଲି ମୋର ହୃଦୟରେ। 


ଯେତେ ଦେଖୁଥିଲେ ତୋତେ

ସେତେ ତୁହି ଲାଗୁଥିଲୁ ନୂଆ। 

ତୋ ରୂପ ନିରେଖୁଥିଲି

ପ୍ରିୟ ଯେହ୍ନେ ଦେଖେ ନିଜ ପ୍ରିୟା। 


ପ୍ରଭୁଙ୍କ ନାମ ସହିତ

ଯୋଡ଼ା ଅଛି ଯେଣୁ ତୋର ନାମ। 

ତେଣୁ କି ତୋ ରୂପ ଲାଗେ

ଏତେ ଦିବ୍ୟ ଏତେ ଅନୁପମ !


ଭୁଲିଗଲି ନିଜକୁ ମୁଁ

ଭୁଲିଗଲି ବିଷୟ ସଂସାର। 

ତୋ ରୂପେ ମୋହିତ ହେଲି

କାଳ ଗତି ହେଲା ଅବା ସ୍ଥିର !


ପକ୍ଷୀଙ୍କର କାକଳୀରେ

ହଠାତେ ମୋ ଧ୍ୟାନ ଭାଙ୍ଗିଗଲା। 

ପାଇଥିବା ସମ୍ପଦ କି

ସତେ ଅବା ଦୈବ ହରିନେଲା !


ନ ଭାଙ୍ଗି ଥାନ୍ତା କି ଧ୍ୟାନ

ପକ୍ଷୀଙ୍କର ମଧୁର କୂଜନ !

ନିରେଖୁଥାନ୍ତି ମୁଁ ସଦା

ତୋର ହସ ତୋ ରୂପ ଲାବଣ୍ୟ !


ତୁ ସିନା ସଂସାରେ ମୁକ୍ତ

ସଂସାରେ ମୁଁ ବନ୍ଧା ଏକ ଜନ। 

ଫେରି ମୁଁ ଯାଉଛି ତେଣୁ

ନେଇ ଏକ ଭାରାକ୍ରାନ୍ତ ମନ। 


ସଂସାର ଚାପରେ ଯେବେ

ମନ ମୋର ହୋଇବ ବିରସ। 

ଖୋଜିବି ମୁଁ ତୋ ଓଠର

ଏହି ଦିବ୍ୟ ଅନୁପମ ହସ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract