କୃଷକ
କୃଷକ
ଋତୁ ଝୁଲଣାରେ ମୌସୁମୀ ଆସୁଛି
ତୋରଣ ବାନ୍ଧିଛି ଘନ
କେବେ ଶୁଭ୍ର ଗିରି କେବେ ଭେଳା ପରି
ରୂପ ତା'ର ଅନୁପମ ।
ବିହନ ବିଛାଇ ବସି ଚଷା ଭାଇ
ବଜାଏ ସୁଖର ତୁରୀ
ହଳ ଲଙ୍ଗଳର ପସରା ମେଲିଛି
କାନ୍ଧକୁ ଲାଗେନା ଭାରି ।
ବିଦ୍ୟୁତ୍ ପ୍ରଭାକୁ ତିଳେ ଭୟ ନାହିଁ
ବୁଝେନା ସେ ରାତି ଦିନ
ଧାରା ଶ୍ରାବଣରେ ଖେତ ନଲାଗିଲେ
ଅବୁଝା ହୁଏ ତା ମନ ।
ଚାଷ ଜମି ତାର ଜୀବନ ବେଉଷା
କର୍ଦ୍ଦମ ଚନ୍ଦନ ବାସ
ସବୁଜ ଖେତର ମନୋହର ଶୋଭା
କରାଏ ତାହାକୁ ତୋଷ ।
ବରଷା ନୋହିଲେ ଇନ୍ଦ୍ର ଦେବ ପୂଜି
କରେ କେତେ ମାନସିକ
ଚାଷୀ ପାଇଁ ଆଜି ଜଗତ ବଞ୍ଚିଛି
ତା ପାଇଁ ପ୍ରାପ୍ତ ଏ ଭିକ ।
ସୁବର୍ଣ୍ଣ ଫସଲ ସାଉଁଟି ଆଣି ସେ
ଖଳାରେ କରଇ ମେଳା
ଚାଷୀ ପାଇଁ ଆଜି ଗର୍ବେ ମଥା ଉଚ୍ଚା
କର ନାହିଁ ଅବହେଳା ।
ମାଟି କାଦୁଅରେ ହୁଡା ତଳେ ବସି
ପଖାଳେ ସନ୍ତୋଷ ହୁଏ
ସେହି ଚାଷୀ ଭାଇ ଆମରି ଉଦର
ଶ୍ରମ ଦାନେ ଭରି ଦିଏ ।
କୃଷକ ବିହୁନେ ଚାଷ କି ହୋଇବ
ଏ କଥା ସକଳେ ଜାଣେ
ସନମାନ ଦେଇ ମଣିଷରେ ଗଣ
ସ୍ମୃତିରୁ ପ୍ରଭାତୀ ଜାଣେ ।
