କରୋନା ଓ ବିଚଳିତ ଜୀବନ
କରୋନା ଓ ବିଚଳିତ ଜୀବନ
।।୧॥
କରୋନା ସୃଜିଲା ବିଶ୍ଵ ଇତିହାସେ
ପ୍ରକୃତିର ବିପର୍ଯ୍ୟୟ ।
ଅଦୃଶ୍ୟ ଅପୂର୍ବ ଅଶୃତ ଅପୂର୍ବ
ମହାମାରୀ ମହାଭୟ ॥
॥୨॥
ସଙ୍କଟ ଘେରିଲା ବିଦେଶରୁ ଦେଶ
ମାଡି ଗଲା ଚାହୁଁ ଚାହୁଁ ।
ଚୀନ୍ର ୟୁହାନ୍ ପ୍ରଥମ ସହର
ରୋଗ ପ୍ରସବିଲା ଯହୁଁ ॥
॥ ୩॥
ଲକ୍ଷ ଲକ୍ଷ ଜନ ଦିନ ପ୍ରତିଦିନ
ଯମାଳୟେ ହେଲେ ଗତ ।
କିଏ ସେ ହିସାବ ସେ ସବୁ ରଖିବ
ମୃତ ଅଥବା ଜୀବିତ ॥
॥୪॥
ଗୃହବାସ କରି ଏକାନ୍ତେ ବିହରି
ନିଷେଧାଜ୍ଞା ପାଳନୀୟ ।
ମାନବ ଜୀବନେ ସନ୍ଧିକ୍ଷଣ ବେଳା
କରୋନା ମରଣଭୟ ॥
॥୫॥
ଆମୋଦପ୍ରମୋଦ ବୃତ୍ତିକର୍ମ ଯେତେ
ରାଇଜରୁ ହଜିଗଲା ।
ସକଳ ପରାଣୁ ଆନନ୍ଦ ଉଲ୍ଲାସ
ଅନ୍ତର୍ହିତ ହୋଇଗଲା ॥
॥୬॥
ଖାଦ୍ୟ ଓ ପାନୀୟ କଟକଣା ହେଲା
ରାସ୍ତାଘାଟ ଜନଶୂନ୍ୟ ।
ଏକାନ୍ତ କଷଣ ଅତୀବ ଦାରୁଣ
ଗୃହବନ୍ଦୀର ଜୀବନ ॥
॥୭॥
ପ୍ରାଥମିକ ବିଦ୍ୟାଳୟ କୁନି ଶିଶୁ
ଅଥୟ ଗୃହରେ ରହି ।
ସାଙ୍ଗସାଥିମେଳେ କେତେହରଷରେ
ଦିନ ଯାଉ ଥିଲା ବହି ॥
॥୮॥
ଦୁର୍ବିସହ ହେଲା ସାଧାରଣ ପ୍ରାଣ
ଧାରଣ ଚିତ୍ର କରୁଣ ।
ସବୁବେଳେ ଖାଲି ମୃତ୍ୟୁର ଖବର
ବ୍ୟଥା ଦେଲା ନିଦାରୁଣ ॥
॥୯॥
ମାନବକୃତ କି ଦୈବୀବିପତ୍ତି ଏ
ଗବେଷଣା ଅନ୍ତହୀନ ॥
ପୁରାଣ କୋକୁଆଭୟ ଗ୍ରାସ ପରି
ବିଚଳିତ ସର୍ବଜନ ॥
॥୧୦॥
କେତେ ପରିବାର ଛାରଖାର କଲା
ସ୍ମରଣେ ଜାଗ୍ରତ ଶଙ୍କା ।
ହୃଦୟେ ରହିବ ଆଜୀବନ ଏହି
କରୋନାର ବିଭୀଷିକା ॥
॥୧୧॥
ଜୈବଭାରସାମ୍ୟ ଭୁଷୁଡି ପଡିଲା
କ୍ଷିତି ଆପ ତେଜ ବାୟୁ,
ଭୂତାଣୁର ସଂକ୍ରମଣ ଦୁର୍ନିବାର
ନାଶ କଲା ପରମାୟୁ ॥
॥୧୨॥
ତଥାପି ବଂଚିବା ଆଶା ଛାଡି ନାହୁଁ
ବିଶ୍ଵ ମାନବ ସକଳ ।
ନିରୂପଣ କରି ନିଦାନ ଏହାର
ଜିତିଛୁ ଖଟାଇ ବଳ ॥
