STORYMIRROR

Lata Behera

Abstract

4  

Lata Behera

Abstract

କର୍ମ

କର୍ମ

2 mins
279


ଜନ୍ମ ସାଙ୍ଗେ ସାଙ୍ଗେ କପାଳରେ ବିହି

    କର୍ମ ପୁଣି ଲେଖି ଅଛି 

ଯିଏ ଯେଉଁ କର୍ମ ଯେମିତି କରଇ 

    ତାହା ପ୍ରାପତ ହେଉଛି ।


ବାମ ହାତ ପାପ ଡାହାଣ ନିଏନି 

    ହେଇ ବି ଗୋଟେ ଶରୀର 

ଭାବି ଚିନ୍ତି ତେଣୁ କର୍ମ କରୁଥିବ

   ନ ଥିବ ପ୍ରମାଦ ଘୋର ।


ଜାଣତରେ ହେଉ ଅଜାଣନ୍ତେ ଅବା

    ଯିଏ ଯେଉଁ କର୍ମ କରୁ

ସେହି ଅନୁସାରେ ଭୋଗିବ ସେ ନିଶ୍ଚେ

   ହେଉ ଯେତେ ମହାମେରୁ ।


ଏଇ କର୍ମ ଯେବେ ଭଲ ତ ହୋଇବ

    ହେଇବ ଧର୍ମ ଉତ୍ପତ୍ତି 

ନିମିଷେକ ମଧ୍ୟେ ଖଣ୍ଡନ କରଇ

   ପଡଇ ଯେତେ ବିପତ୍ତି ।


ଏ କର୍ମ ଯୋଗକୁ ମହାଭାରତରେ

   ଶ୍ରୀକୃଷ୍ଣ କହିଲେ ପାର୍ଥ

କର୍ମର ମହତ୍ତ୍ଵ ତା ଗୁଢ ରହସ୍ୟ 

   ବୁଝାଇଣ ଥିଲେ ଅର୍ଥ ।


କର୍ମ ବିନା ନାହିଁ ଗତି ମୁକ୍ତି କିଛି

  କର୍ମ ହିଁ ଭାଗ୍ୟ ବିଧାତା 

ଏଇ କର୍ମ ଦିଏ ଜୀବନରେ ଶାନ୍ତି 

    ସିଏ ଗତି ମୁକ୍ତି ଦାତା ।


ରଜନୀ ପାହିଲେ ପ୍ରଭାତ ହୋଇଲେ

   କର୍ମରେ ତତ୍ପର ସବୁ

କୀଟ ଠାରୁ ବ୍ରହ୍ମ ପରିଯନ୍ତେ ଦେଖ

   ଆଦରି ଥାନ୍ତି କର୍ମକୁ ।


ପଶୁ ପକ୍ଷୀମାନେ ପ୍ରଭାତ ହୋଇଲେ 

    କରନ୍ତି ନିଜ କର୍ମକୁ

ଅଳସୁଆ ହେଇ ଦୁଃଖ ଭୋଗି ନର

    ନିନ୍ଦୁଥାଏ ତା ଭାଗ୍ୟକୁ ।


କି ଦିନ ରାତି କି ଝଡି ବରଷା

   ଖାତର ନ କରି କିଛି

ପିମ୍ପୁଡିଟି ସଦା କର୍ମେ ରତ ଥାଏ ନା

    ବିଶ୍ରାମ ସେ ଲୋଡି ଅଛି ।


ଅଳସୁଆ ହେଇ କର୍ମ ନ କରିଣ 

   ଝିଣ୍ଟିକା କଷ୍ଟ ପାଇଲା

ଶେଷରେ ପିମ୍ପୁଡି ପାଖରୁ ଆହାର 

   ଯାଇ ସେ ନିଜେ ମାଗିଲା । 


କର୍ମ ତ ଅଟଇ ବିଭିନ୍ନ ପ୍ରକାର

   ଯିଏ ଯେଉଁ ପଥ ଧରେ

ବଞ୍ଚିବା ପାଇଁ ତ ଏଇ ଦୁନିଆରେ 

   ସିଏ କିଛି କର୍ମ କରେ ।


ଶୋଇ ରହିଥିବା ଜୀବର ପାଟିକୁ

    ଆହାର କି କେବେ ଯାଏ

ସେଇ ଅନୁସାରେ ନିଜ ଭାଗ୍ୟ ନିଜେ

   କର୍ମେ ନିର୍ଦ୍ଧାରଣ ହୁଏ ।


ଆଜିକାଲି ଲୋକ ଈର୍ଷା ପରାୟଣ 

    ସହନ୍ତିନି କାହା ଶିରି

ଯଦି କିଏ କର୍ମେ ଊର୍ଦ୍ଧ୍ବକୁ ଗମିଲା

    ପଛୁ ଥାଆନ୍ତି ଓଟାରି ।


ଭଲ କର୍ମ କଲେ ଶତ୍ରୁ ତ ରହିବେ

     ଜୀବନ ମାର୍ଜିତ ହେବ

ତେବେ ଯାଇ ସିନା ଏ କର୍ମ ମହତ୍ତ୍ୱ 

    ତତ୍ତ୍ୱ ସେ ବୁଝି ପାରିବ ।


ବସି ତ ଖାଇଲେ ନଈ ବାଲି ସରେ

    ରହିଛି ଆମ ପ୍ରବାଦ

କର୍ମ କରିବାର ପାଇଁ ପ୍ରଭୁ ପରା 

   ଦେଇଛନ୍ତି ହସ୍ତ ପାଦ ।


ହାତ ଦ୍ୱାରା ହେଉ ଥାଏ କେତେ କର୍ମ

    ଏଇ ହାତେ ଲକ୍ଷ୍ମୀ ଥାନ୍ତି 

ଦାନ ଧର୍ମ କରି ଶେଷେ ପ୍ରଭୁ ପାଦେ

    ଶରଣ ସେ ଯାଇଥାନ୍ତି ।


କର୍ମମୟ ଅଟେ ଏଇତ ଜୀବନ

    କର୍ମ ହି ଜଗତେ ସାର

ଏଇ କର୍ମ ଯୋଗୁଁ ହସଇ ଜୀବନ

    ହସେ ଏଇତ ସଂସାର । 


କର୍ମ କରି ଚାଲ ସର୍ବଦା ଜୀବନେ

    ଫଳ ଆଶା ରଖ ନାହିଁ 

କର୍ମ ଅନୁସାରେ ଫଳ ତ ନିଶ୍ଚିତ 

    ଦେବେ ସେ ଜଗତ ସାଇଁ ।


Rate this content
Log in

Similar oriya poem from Abstract