କର୍ମ
କର୍ମ
ଜନ୍ମ ସାଙ୍ଗେ ସାଙ୍ଗେ କପାଳରେ ବିହି
କର୍ମ ପୁଣି ଲେଖି ଅଛି
ଯିଏ ଯେଉଁ କର୍ମ ଯେମିତି କରଇ
ତାହା ପ୍ରାପତ ହେଉଛି ।
ବାମ ହାତ ପାପ ଡାହାଣ ନିଏନି
ହେଇ ବି ଗୋଟେ ଶରୀର
ଭାବି ଚିନ୍ତି ତେଣୁ କର୍ମ କରୁଥିବ
ନ ଥିବ ପ୍ରମାଦ ଘୋର ।
ଜାଣତରେ ହେଉ ଅଜାଣନ୍ତେ ଅବା
ଯିଏ ଯେଉଁ କର୍ମ କରୁ
ସେହି ଅନୁସାରେ ଭୋଗିବ ସେ ନିଶ୍ଚେ
ହେଉ ଯେତେ ମହାମେରୁ ।
ଏଇ କର୍ମ ଯେବେ ଭଲ ତ ହୋଇବ
ହେଇବ ଧର୍ମ ଉତ୍ପତ୍ତି
ନିମିଷେକ ମଧ୍ୟେ ଖଣ୍ଡନ କରଇ
ପଡଇ ଯେତେ ବିପତ୍ତି ।
ଏ କର୍ମ ଯୋଗକୁ ମହାଭାରତରେ
ଶ୍ରୀକୃଷ୍ଣ କହିଲେ ପାର୍ଥ
କର୍ମର ମହତ୍ତ୍ଵ ତା ଗୁଢ ରହସ୍ୟ
ବୁଝାଇଣ ଥିଲେ ଅର୍ଥ ।
କର୍ମ ବିନା ନାହିଁ ଗତି ମୁକ୍ତି କିଛି
କର୍ମ ହିଁ ଭାଗ୍ୟ ବିଧାତା
ଏଇ କର୍ମ ଦିଏ ଜୀବନରେ ଶାନ୍ତି
ସିଏ ଗତି ମୁକ୍ତି ଦାତା ।
ରଜନୀ ପାହିଲେ ପ୍ରଭାତ ହୋଇଲେ
କର୍ମରେ ତତ୍ପର ସବୁ
କୀଟ ଠାରୁ ବ୍ରହ୍ମ ପରିଯନ୍ତେ ଦେଖ
ଆଦରି ଥାନ୍ତି କର୍ମକୁ ।
ପଶୁ ପକ୍ଷୀମାନେ ପ୍ରଭାତ ହୋଇଲେ
କରନ୍ତି ନିଜ କର୍ମକୁ
ଅଳସୁଆ ହେଇ ଦୁଃଖ ଭୋଗି ନର
ନିନ୍ଦୁଥାଏ ତା ଭାଗ୍ୟକୁ ।
କି ଦିନ ରାତି କି ଝଡି ବରଷା
ଖାତର ନ କରି କିଛି
ପିମ୍ପୁଡିଟି ସଦା କର୍ମେ ରତ ଥାଏ ନା
ବିଶ୍ରାମ ସେ ଲୋଡି ଅଛି ।
ଅଳସୁଆ ହେଇ କର୍ମ ନ କରିଣ
ଝିଣ୍ଟିକା କଷ୍ଟ ପାଇଲା
ଶେଷରେ ପିମ୍ପୁଡି ପାଖରୁ ଆହାର
ଯାଇ ସେ ନିଜେ ମାଗିଲା ।
କର୍ମ ତ ଅଟଇ ବିଭିନ୍ନ ପ୍ରକାର
ଯିଏ ଯେଉଁ ପଥ ଧରେ
ବଞ୍ଚିବା ପାଇଁ ତ ଏଇ ଦୁନିଆରେ
ସିଏ କିଛି କର୍ମ କରେ ।
ଶୋଇ ରହିଥିବା ଜୀବର ପାଟିକୁ
ଆହାର କି କେବେ ଯାଏ
ସେଇ ଅନୁସାରେ ନିଜ ଭାଗ୍ୟ ନିଜେ
କର୍ମେ ନିର୍ଦ୍ଧାରଣ ହୁଏ ।
ଆଜିକାଲି ଲୋକ ଈର୍ଷା ପରାୟଣ
ସହନ୍ତିନି କାହା ଶିରି
ଯଦି କିଏ କର୍ମେ ଊର୍ଦ୍ଧ୍ବକୁ ଗମିଲା
ପଛୁ ଥାଆନ୍ତି ଓଟାରି ।
ଭଲ କର୍ମ କଲେ ଶତ୍ରୁ ତ ରହିବେ
ଜୀବନ ମାର୍ଜିତ ହେବ
ତେବେ ଯାଇ ସିନା ଏ କର୍ମ ମହତ୍ତ୍ୱ
ତତ୍ତ୍ୱ ସେ ବୁଝି ପାରିବ ।
ବସି ତ ଖାଇଲେ ନଈ ବାଲି ସରେ
ରହିଛି ଆମ ପ୍ରବାଦ
କର୍ମ କରିବାର ପାଇଁ ପ୍ରଭୁ ପରା
ଦେଇଛନ୍ତି ହସ୍ତ ପାଦ ।
ହାତ ଦ୍ୱାରା ହେଉ ଥାଏ କେତେ କର୍ମ
ଏଇ ହାତେ ଲକ୍ଷ୍ମୀ ଥାନ୍ତି
ଦାନ ଧର୍ମ କରି ଶେଷେ ପ୍ରଭୁ ପାଦେ
ଶରଣ ସେ ଯାଇଥାନ୍ତି ।
କର୍ମମୟ ଅଟେ ଏଇତ ଜୀବନ
କର୍ମ ହି ଜଗତେ ସାର
ଏଇ କର୍ମ ଯୋଗୁଁ ହସଇ ଜୀବନ
ହସେ ଏଇତ ସଂସାର ।
କର୍ମ କରି ଚାଲ ସର୍ବଦା ଜୀବନେ
ଫଳ ଆଶା ରଖ ନାହିଁ
କର୍ମ ଅନୁସାରେ ଫଳ ତ ନିଶ୍ଚିତ
ଦେବେ ସେ ଜଗତ ସାଇଁ ।