କର୍ମ
କର୍ମ
ଏଇତ ଜୀବନ ହସର ଲୁହର
କର୍ମେ ବନ୍ଧା ହେଇଥାଏ
କର୍ମ ବିନା କେବେ ଜୀବନରେ କିଏ
ଉନ୍ନତି ବା କରି ଥାଏ ।
ଦୂବ ଠାରୁ ଦାରୁ କୀଟ ଠାରୁ ବ୍ରହ୍ମ
ସର୍ବେ ଥାନ୍ତି କାର୍ଯରତ
ବିନା କର୍ମେ କେବେ ତିଷ୍ଠି ପାରେ ନାହିଁ
ଏଇତ ଜୀବ ଜଗତ ।
ବାଇ ଚଢେଇଟି କି ସୁନ୍ଦର ତାର
ବସାଟି ତିଆରି କରେ
ଝଡି ବରଷାକୁ ନ ଥାଏ ଖାତର
କର୍ମେ ଥାଏ ଆନନ୍ଦରେ ।
ପିମ୍ପୁଡିଟି ତାର କର୍ମେ ରତ ରହି
ଖାଦ୍ୟକୁ କରେ ସଞ୍ଚିତ
ଆଳସ୍ୟ ହେଇଣ ଏଇତ ମାନବ
କଷ୍ଟକୁ ଭୋଗେ ବହୁତ ।
କର୍ମ ନିକଟରେ ସ୍ନେହ ମମତାର
ମୋହ ମାୟା ତ ନ ଥାଇ
ମହାଭାରତରେ ଅର୍ଜୁନଙ୍କୁ ଏହା
ଶ୍ରୀକୃଷ୍ଣ ଥିଲେ ବୁଝେଇ ।
ପ୍ରତ୍ୟେକ ଜୀବନେ କର୍ମ ଯୋଗ ସାର
କର୍ମରେ ରହିଛି କୀର୍ତ୍ତି
ଏଇ କର୍ମ ଯୋଗୁଁ ଯୁଗ ଯୁଗ ପାଇଁ
ରହିଥାଏ ଯଶ ଖ୍ୟାତି ।
ସତ୍ୟ, ସଚ୍ଚୋଟ ,ଧର୍ମେ କର୍ମ କର
ଫଳ ଆଶା ରଖ ନାହିଁ
ଯେମିତି କର୍ମକୁ ସେମିତି ଫଳ ତ
ଆପେ ଭାଗ୍ୟେ ମିଳି ଥାଇ ।
ବିଦ୍ୟାର୍ଥୀଟି ବିଦ୍ୟା କର୍ମେରତ ରହି
ସଫଳ ଯେ ପାଇଥାଏ
ସେଇ କର୍ମ ପାଇଁ ଦୁନିଆରେ ଦିନେ
ଭଲ ମଣିଷଟେ ହୁଏ ।
କୋଣସି କର୍ମକୁ ଛୋଟ ଭାବ ନାହିଁ
ଦେଖ ତା ମହାନ ଗୁଣ
ମଧୁପଟି ମହୁ ସଂଗ୍ରହ କରଇ
ଭୋଗ କରେ ତାକୁ ଜନ ।
ବ୍ରାହ୍ମଣର କର୍ମ ବେଦ ପାଠ ଧର୍ମ
କ୍ଷତ୍ରିୟର ଯୁଦ୍ଧ ବିଦ୍ୟା
ବୈଶ୍ୟଙ୍କର କର୍ମ କୃଷି ଗୋ ବାଣିଜ୍ୟ
ଶୁଦ୍ର କରେ ତାଙ୍କ ସେବା ।
ପରସ୍ପର କର୍ମ ସହଯୋଗ ବଳେ
ଚାଲିଛି ଦୁନିଆ ଏଇ
ଜଣଙ୍କ ହାତରେ ସବୁ କର୍ମ କେବେ
ସମ୍ଭବ ହେଇ ନ ଥାଇ ।
ଉଚ୍ଚ ନୀଳ ଭାବ ମନରୁ ଦୂରେଇ
ନିଜ କର୍ମେ ରତ ହୁଅ
ସେଇ କର୍ମ ବଳେ ଦୁନିଆରେ ତୁମେ
ଶୀର୍ଷ ସ୍ଥାନ ଛୁଇଁ ଯାଅ ।
କର୍ମର ଅଭାବେ ନଳ ରାଜା ଦିନେ
କାଟି ଥିଲେ ଦୂବ ଘାସ
ସେଇ କର୍ମ ପାଇଁ ପ୍ରଭୁ ରାମଚନ୍ଦ୍ର
ଯାଇଥିଲେ ବନବାସ ।
ଘରର ଗୃହିଣୀ ନିଜ କର୍ମ ପାଇଁ
ସୁନାମ ଦୁର୍ନାମ ପାଏ
ମୁରବୀର କର୍ମ ବଳେ ଯେ ବଂଶର
ଅଧଃ ଊର୍ଦ୍ଧ୍ବ ଗତି ହୁଏ ।
ଯିଏ ଯୋଉ କର୍ମ କରିବ ଜୀବନେ
ସେଇ କର୍ମ ସେ ଭୋଗିବ
ବାମ ହାତ କର୍ମ ଡାହଣ ନେଇନି
ଅନ୍ୟଥା କିଏ କରିବ ?
ଯାହାକୁ ଯେମିତି ସୁହେଇବ କର୍ମ
ସେଇ ମାର୍ଗେ ସେ ଚାଲିବ
ସେହି ଅନୁସାରେ ସୁଖ ଦୁଃଖ ସ୍ୱର୍ଗ
ନର୍କ ପଥ ଖୋଲା ଥିବ ।
ପ୍ରତ୍ୟେକ ଜୀବନେ ପ୍ରତ୍ୟେକ ଜୀବ ଯେ
କର୍ଯ୍ଯେ ସଦା ଥାନ୍ତି ବ୍ରତୀ
ବିନା କର୍ମେ କେବେ ଜୀବନରେ କେହି
ପାରି ନ ଥାନ୍ତି ଯେ ତିଷ୍ଠି ।
କର୍ମରେ ଯେ ଜ୍ଞାନ କର୍ମରେ ଯେ ଧର୍ମ
କର୍ମରେ ପ୍ରାପତ ସବୁ
ବିନା କର୍ମେ କେହି କେବେବି ନିନ୍ଦନି
କେବେ ନିଜର ଭାଗ୍ୟକୁ ।
ଏମିତି କର୍ମ ଯେ କରିବାନି ଯାହା
କଳଙ୍କରେ ଲେଖା ହେବ
ଯୋଉ କଳଙ୍କ କି ଜୀବନରେ ଆମ
ଚିର ଦିନ ରହି ଯିବ ।
